ଅମର ବିଳାସ

 

 

 

 

 

 

 

 

 

ଅମର ବିଳାସ

ଶ୍ରୀ ବାଳକୃଷ୍ଣ ମହାନ୍ତି

 

ଗୀତାଭିନୟ

(ବନ୍ଦନା)

 

ସାରଦେ ବରଦେ ବନ୍ଦେ ମା,

ଝଙ୍କଡ଼ ବାସିନୀ, ନାମୋ ବୀଣାପାଣି,

ବିହରୁ ଭକ୍ତଗଣ ସଙ୍ଗେ ମା ।ଘୋଷା।

 

ବିପଦ ଭଞ୍ଜନୀ କରୁଣାଦାୟିନୀ

ଜଗତ-ଜନନୀ ଦୁର୍ଗତି ନାଶିନୀ

ଶ୍ୱେତ ପଦ୍ମାସନୀ କମଳା ରୂପିଣୀ

ସୁଧାଂଶୁ ମୁଖପଦ ନିନ୍ଦେ ମା ।୧।

 

କୀର୍ତ୍ତି ଯଶୋଗାନ, ଗାଏ ତ୍ରିଭୁବନ

ବାଗ୍‌ବାଦିନୀ ନାମ ବହିଛ ଆପଣ

ବାଳକୃଷ୍ଣ ଦୀନ ମୂଢ଼ ଅତ୍ୟାଧମ,

ଆଶ୍ରା ମାଗେ ପଦ୍ମପାଦେ ମା ।୨।

Image

 

ପ୍ରସ୍ତାବନା

(ନଟୀର ଗୀତ ଗାଇ ଗାଇ ପ୍ରବେଶ)

 

ଏ ଘନ କାଳରେ ଘନ ବିଜୁଳିରେ,

ଛନକା ଲାଗୁଛି କାନ୍ତ କାହାପୁରେ ରହିଲେ ।ଘୋଷା।

ଅବା କେଉଁ ରସିକା ରସ ଆଦରେ,

ଛନ୍ଦି ପକାଇଛି କିବା ପ୍ରେମ ଫାନ୍ଦରେ ।

ମନ୍ଦ ବିଧାତାରେ ଛନ୍ଦ କଲୁ ମୋରେ;

ମୋ ହୃଦ ରତନ ଧନ କାହା ମନ ମୋହିଲେ ।୧।

ମନ୍ମଥଜ୍ୱାଳା ରେ ସହି ନୋହେ କହି ରେ,

ବିଅର୍ଥ ହେଲାଣି ନବଯୁବା ଦେହୀରେ ।

କେ ଚିତ୍ତକୁ ମୋହେ ରେ କାନ୍ତ ବିନା ମହୀରେ

ବାଳାମଣି କହେ ମୋ ହୃଦକୁ ଦହୀରେ ।୨।

 

ନଟ

-

(ପ୍ରବେଶି) ଆହା ! ଲୀଳାମୟଙ୍କର କି ଅଦ୍ଭୁତ ଲୀଳା, କେତେବେଳେ ସେ କାହାକୁ ହସାଇ ପାରନ୍ତି, କାହାକୁ କନ୍ଦାଇ ପାରନ୍ତି, ତାହା ବୁଝିବାର ଶକ୍ତି କାହାର ? ଯାହାର ମାୟାରଜ୍ଜୁରେ ଛପନକୋଟି ଜୀବଜନ୍ତୁ ବନ୍ଦୀ ହୋଇ ଅହରହ କ୍ରୀଡ଼ା ନର୍ତ୍ତନ ପୁତ୍ତଳିକା ପରି ଆବଦ୍ଧ, ଆଜି ସେହି ଜଗନ୍ନିୟନ୍ତା ଜଗଦୀଶ୍ୱରଙ୍କ କୃପାରୁ ଯେ କି ନିମନ୍ତେ ଏଠାରେ କେତେଗୁଡ଼ିଏ ବିଦ୍ୟୋତ୍ସାହୀ ବିଦ୍ଵଜନଙ୍କ ସମାଗମ ଦେଖି ଏ ସାମାନ୍ୟ ପ୍ରାଣରେ କାହିଁକି ଏପରି ଭୟର ଉଦ୍ରେକ ହେଉଛି, ସେହି ବିପଦବାରଣ, ଲଜ୍ଜା ନିବାରଣ, ଅଘାତମ ନାଶନ ଗରୁଡ଼ାସନ ହିଁ ଏ ବିପଦାର୍ଣ୍ଣବରୁ ପାରଉତାର କରିବେ ।

ନଟୀ

-

ନାଥ; ଏତେ ଭୟଭୀତ ହେବାର କୌଣସି କାରଣ ନାହିଁ, ଭୟ ଯେଉଁଠାରେ-ଜୟ ସେହିଠାରେ ।

ନଟ

-

ପ୍ରିୟ, ଚନ୍ଦ୍ରକୁ ଚକୋର ଚାହିଁଲାପରି କି ନିମନ୍ତେ ଏହି ଚକୋରରୂପୀ ସୁଧୀ ଦର୍ଶକବୃନ୍ଦ ତୁମ୍ଭ ମୁଖଚନ୍ଦ୍ରକୁ ନୀରବରେ ଅନାଇଁ ରହିଛନ୍ତି ?

ନଟୀ

-

ନାଥ, ନ ଜାଣ କି ସବୁଦିନେ ନୂଆ ନୂଆ ଦ୍ରବ୍ୟେ ଆଦର ଲୋକଙ୍କର । ସେ ନିମନ୍ତେ ଆସିଛନ୍ତି ଏଥି ଦେଖିବାକୁ ତବ ମନମୁଗ୍‌ଧକର ନବ ବିରଚିତ ସେହି ଔପନ୍ୟାସିକ ‘ଅମର ବିଳାସ’ ଗୀତାଭିନୟ ।

ନଟ

-

ପ୍ରିୟତମେ, ଯେଉଁଠାରେ ଏତେ ସୁବିଜ୍ଞ ପଣ୍ଡିତ ମଣ୍ଡଳୀ ବିରାଜିତ ସେଠାରେ ମୋ ଏହି କ୍ଷୁଦ୍ରଲେଖନୀ ଯେ କେତେଦୂର କାର୍ଯ୍ୟକାରୀ ହୋଇ ଉଠିବ ଏହା ଭାବି ହୃଦୟ ବାତାହତ ରମ୍ଭାପତ୍ର ସଦୃଶ ବିକମ୍ପିତ ହେଉଅଛି । ହେ ବିବୁଧଗଣ ! ‘‘ଅନନ୍ତପାରଂ କିଳ ଶବ୍ଦଶାସ୍ତ୍ରଂ, ସ୍ୱଳ୍ପଂ ସ୍ତଥାୟୁର୍ବହବଶ୍ଚ ବିଘ୍ନଃ, ତତୋଽସାର ଗ୍ରାହ୍ୟମପାସ୍ୟ ଫଲ୍‌ଗୁ, ହଂସୋ ଯଥା କ୍ଷୀରମିବାମ୍ୱୁ ମଧ୍ୟାତ୍‌’’ ଅର୍ଥାତ୍‌ ଆପଣମାନେ, ହଂସ କ୍ଷୀର ମଧ୍ୟରୁ ସାରାଂଶ ଗ୍ରହଣକରି ନୀରକୁ ଦୂରକୁ ଫିଙ୍ଗିଲାପରି ଦୋଷାଦୋଷ ଗ୍ରହଣ ନ କରି କେବଳ ଗୁଣପ୍ରତି ଲକ୍ଷ୍ୟ ରଖି କ୍ଷମା ଓ ସହାନୁଭୂତି ପ୍ରକାଶ କଲେ ଅଧୀନ ଆପଣାକୁ ଧନ୍ୟ ମନେ କରିବ ।

Image

 

ପ୍ରଥମ ଅଙ୍କ

ପ୍ରଥମ ଦୃଶ୍ୟ

 

(ରାଜଦରବାର)

(ରାଜା ଦୁଷ୍ମନ୍ତ ସିଂହ ଓ ମନ୍ତ୍ରୀ)

 

ମନ୍ତ୍ରୀ

-

ମହାରାଜ ! ଆପଣ ତ ପ୍ରତିଦିନ ସଭାକୁ ଆସନ୍ତି ଆପଣଙ୍କ ମନଟା ଖୁବ୍‌ ଆନନ୍ଦିତ ଥାଏ, ମାତ୍ର ଆଜି କାହିଁକି ଏପରି ବିରସ ବଦନ ଦେଖାଯାଉଛନ୍ତି, କାରଣ କଣ କହନ୍ତୁ ?

ରାଜା

-

ଗୀତ (ଏ ମାୟାସଂସାରେ ବୃତ୍ତେ)

 

 

କର୍ମ ମୋର ଏଡ଼େ ନାରଖାରରେ ମନ୍ତ୍ରୀବର ।

 

 

ମରମ ବେଦନା କେ’ବା କରିବ ଗୋଚର ।ଘୋଷା।

 

 

ମନ୍ତ୍ରିନ୍‌ ! ବାହାର କଥା ସମସ୍ତେ ଜାଣିପାରନ୍ତି, କିନ୍ତୁ ଅନ୍ତର କଥା କେ ଜାଣିବ, କା’ର ସାଧ୍ୟଅଛି ।

ମନ୍ତ୍ରୀ

-

ପ୍ରକାଶ କଲେ ନିଶ୍ଚୟ ଜାଣିପାରିବୁଁ ।

ରାଜା

-

(ଗୀତ)

 

 

ପ୍ରିୟା ମୋ ଅନ୍ତର ଦିନୁ, କ୍ଷୀଣ ହୋଇଲାଣି ତନୁ

 

 

ପାଶୋର ନ ଯାଏ ମନୁ କିସ ପ୍ରତିକାର ରେ ।୧।

 

 

ମନ୍ତ୍ରିନ୍‌ ! ପ୍ରେୟସୀ ମୋର ନିଶ୍ଚିନ୍ତରେ ପରଲୋକ ଗମନକଲେ, କିନ୍ତୁ ମୋତେ ବଡ଼ ଦହଗଞ୍ଜରେ ପକାଇଗଲେ ।

ମନ୍ତ୍ରୀ

-

ମହାରାଜ ! ସାମାନ୍ୟ ସ୍ତ୍ରୀଟା ଲାଗି ଏତେ ଚିନ୍ତା !

ରାଜା

-

(ଗୀତ)

 

 

ଗୃହକୁ ଗୃହିଣୀ ସିନା, ବିହି କରିଛି ଘଟଣା

 

 

ଆଉ କି ଘରକରଣା ଦୁଃଖ ପାରାବାରରେ ।୨।

 

 

ମନ୍ତ୍ରିନ୍‌ ! ଗୃହକୁ ଗୃହିଣୀ ନ ହେଲେ ସେ ଘରରେ କିଛି ସୁଖ ନାହିଁ ।

ମନ୍ତ୍ରୀ

-

ମହାରାଜ ! ବିବାହ କରିବାକୁ ଯେବେ ଆପଣଙ୍କର ଏକାନ୍ତ ଇଚ୍ଛା ତେବେ କହନ୍ତୁ ଆମ୍ଭେମାନେ ତା’ର ବନ୍ଦୋବସ୍ତ କରିବୁ ।

ରାଜା

-

ମନ୍ତ୍ରିନ୍‌ ! ମୋର ସମୟ ଆଉ ନାହିଁ ।

 

 

(ଗୀତ)

 

 

ଅଣାଅ କୁମରେ ମୋର, ଯେବା ହେବ ଗୁଣାକର

 

 

ଦେବି ଏ ବିଷୟ ଭାର ବୁଝି ତତପର ରେ ।୩।

 

 

ମନ୍ତ୍ରୀନ୍‌ ! ବାହାନ, ତୋଫାନ, ଅମର- ଏ ତିନିପୁତ୍ରଙ୍କୁ ଡକାଅ । ସେମାନଙ୍କ ମଧ୍ୟରୁ ଯେ ଉପଯୁକ୍ତ ହେବ, ତାକୁ ଏ ରାଜଗାଦୀ ଦେଇ ମୁଁ ସନ୍ନ୍ୟାସୀ ହୋଇଯିବି ।

ମନ୍ତ୍ରୀ

-

ମହାରାଜ ! ଆପଣ କାହାକୁ ଉପଯୁକ୍ତ ମନେ କରିଛନ୍ତି ?

ରାଜା

-

ମୋର କି ବିବେଚନା; ତୁମ୍ଭ ପାଞ୍ଚଜଣଙ୍କ ବିବେଚନାରେ ଯେ ଯୋଗ୍ୟ, ମୋର ସେହି-। ମୁଁ ପିତା ବୋଲି ଯାହାକୁ ଇଚ୍ଛା ତାକୁ ରାଜଗାଦୀ ଦେଇ ନ ପାରେ ।

 

 

(ଗୀତ)

 

 

ବାସେ ଆଉ ନାହିଁ ଆଶା, ଦୀନବନ୍ଧୁ ହିଁ ଭରସା

 

 

ବାଳକୃଷ୍ଣ କରେ ଆଶା ତେଜିବି ସଂସାରରେ ।୪।

 

 

ମନ୍ତ୍ରିନ୍‌ ! ପିଲାମାନେ ବର୍ତ୍ତମାନ ବିଦ୍ୟାଭବନରେ ଥିବେ ଡକାଇ ଦିଅ । ମୁଁ ସେମାନଙ୍କ ମଧ୍ୟରୁ ଯେ ଉପଯୁକ୍ତ ତାକୁ ରାଜଗାଦି ଦେଇ ସନ୍ନ୍ୟାସ ଧର୍ମ ଗ୍ରହଣ କରିବି । (ପ୍ରସ୍ଥାନ)

Image

 

ଦ୍ୱିତୀୟ ଦୃଶ୍ୟ

ବିଦ୍ୟାଳୟ

 

ବିଦ୍ୟାଗୁରୁ

-

କାହିଁ ଶିକ୍ଷା ଭବନରେ କେହି ତ ଦେଖାନାହାନ୍ତି, ଏ ଗୁଡ଼ାଙ୍କର ପଢ଼ିବାରେ ଆଦୌ ଇଚ୍ଛା ନାହିଁ । ଆସନ୍ତୁ କେତେବେଳେ ଆସିବେ, ଆମ୍ଭ ଦରମା ଗଣ୍ଡାକରେ ତ ମଳି ଧୂଳି ନାହିଁ, ଏ ଏତେ ଉଛୁରରେ ଆସିଲେ କେତେ, ସଅଳରେ ଆସିଲେ କେତେ ?

 

 

(ବାହାନ ତୋଫାନଙ୍କର କଥୋପକଥନ ହୋଇ ଆସିବା)

ବାହାନ

-

ତୋଫାନ ! ଜାଣ କିଛି ପିତାଙ୍କ ଉଦ୍ଦେଶ୍ୟ ?

ତୋଫାନ

 

ନା, ଭାଇ ନ ଜାଣେ ମୁଁ କିଛି ।

ବାହାନ

 

କାଲି ପ୍ରାତେଃ ଯୌବରାଜ୍ୟେ ଅଭିଷିକ୍ତ ହେବ ରେ ଅମର ।

ତୋଫାନ

 

ସେ ତ ଆପଣାର ଭାଇ ସେଥିରେ କ୍ଷତି କଣ ?

ବାହାନ

-

ଭାଇ ! ଜ୍ୟେଷ୍ଠ ପୁତ୍ର ହୋଇ ଆମ୍ଭେ କନିଷ୍ଠର ହେବୁ ଅନୁଗତ ? କି ଲଜ୍ଜାର କଥା । ଅତ୍ୟାଚାରୀ ପିତା ସ୍ନେହବଶେ ଦେଉଛନ୍ତି ଅମରେ ରାଜଗାଦୀ ସମ୍ପତି କିନ୍ତୁ ଜାଣରେ ତୋଫାନ ଥିବାଯାଏ ତରବାରି ହସ୍ତେ, ସିଂହବଂଶ ପୁତ୍ର କେହି ନ ହେବେଟି ପଶ୍ଚାତ୍ପଦ, ଏଥୁ ଚାଲ ତେବେ ଗୁରୁ ସଙ୍ଗେ କରିବା ପ୍ରସ୍ତାବ ।

 

 

(ବିଦ୍ୟା ଭବନେ ପ୍ରବେଶ ଓ ଗୁରୁଙ୍କୁ ପ୍ରଣାମ)

ଗୁରୁ

-

ଏଥିରେ ଆମ୍ଭେ କୃତାର୍ଥ ହୋଇଗଲୁ ! ତୁମ୍ଭମାନଙ୍କର ଏତେ ବିଳମ୍ୱ କାହିଁକି ? ଆଉ ଏପରି ଚଙ୍ଗ ଚଙ୍ଗ ହେଉଛ କାହିଁକି ?

ବାହାନ

-

ଗୁରୁଦେବ ! ସେହିପରି ବିପଦ ଉପସ୍ଥିତ ହୋଇଛି, ଆଉ ମଧ୍ୟ କେତେ କଥା ଆପଣଙ୍କୁ ପଚାରିବାକୁ ଅଛି ।

ଗୁରୁ

-

କି କଥା ?

ବାହାନ

-

ଗୀତ (ହେ ଜୀବଧନ ବୃତ୍ତେ)

 

 

ହେ ଗୁରୁଦେବ ! କହନ୍ତୁ ଏଥିରେ ଭେଦ । ଘୋଷା।

 

 

ପିତା କରିଛନ୍ତି ସତ୍ୟ, ରାଜ୍ୟରୁ ହେବେ ବଞ୍ଚିତ;

 

 

ଯେ ହୋଇବ ଉପଯୁକ୍ତ ଅର୍ପିବେ ସମ୍ପଦ ।୧।

 

 

ଗୁରୁଦେବ ! ପିତା ସତ୍ୟ କରିଛନ୍ତି ଆମ୍ଭ ତିନିଭାଇ ମଧ୍ୟରୁ ଯେ କି ଉପଯୁକ୍ତ ହେବ ତାକୁ ରାଜଗାଦୀ ଦେଇ ସନ୍ନ୍ୟାସୀ ହୋଇଯିବେ ।

ଗୁରୁ

-

ସେ ତ ଭଲ ବିଚାର, ଆଚ୍ଛା ମୋତେ କଣ ପଚାରୁଛ ପଚାର ।

ବାହାନ

-

(ଗୀତ)

 

 

ତୁମ୍ଭ ବିଚାରରେ କେବା, ଉପଯୁକ୍ତ ହେବ ଅବା

 

 

ସଦୟ ହୋଇ କହିବା ଯିବ ମନୁ ଖେଦ ।୨।

 

 

ଗୁରୁଦେବ ! ଆପଣଙ୍କର ବିଚାରରେ ଆମ୍ଭ ତିନି ଜଣଙ୍କ ମଧ୍ୟରେ କେ ଉପଯୁକ୍ତ-?

ଗୁରୁ

-

ଆରେ; ତୁଳସୀ ଯେ ଦୁଇପତ୍ରରୁ ବାସେ, ବିଛୁଆତି ଦୁଇପତ୍ରରୁ ଗଲୁ ହୁଏ; ତେବେ ଅମରଟି ଉପଯୁକ୍ତ, ସେ ରାଜଗାଦୀ ପାଇବା ସମ୍ଭବ ।

ବାହାନ

-

(ଗୀତ)

 

 

ଆମ୍ଭେ ହୋଇ ଜ୍ୟେଷ୍ଠ ପୁତ୍ର, ଅନୁସରିବୁ କନିଷ୍ଠ;

 

 

ଏ କଥା ନୁହେ ଉଚିତ ଘଟିବ ପ୍ରମାଦ ।୩।

 

 

ଗୁରୁଦେବ ! ଆମ୍ଭେମାନେ ଜ୍ୟେଷ୍ଠ ହୋଇ କନିଷ୍ଠର ପଦତଳେ ଖଟିବୁ, ଏ କଥା କେବେ ହେବ ନାହିଁ, ବରଂ ଅନର୍ଥ ଲାଗିବା କଥା ।

ଗୁରୁ

-

ସେ ଯାହା ହେଉ ତୁମ୍ଭେ ଦୁହେଁ ଅଯୋଗ୍ୟ ।

ବାହାନ

-

(ଗୀତ)

 

 

ଆମ୍ଭରେ ସପକ୍ଷ ହେଲେ ଧନରତ୍ନ ଦେବୁ ଭଲେ;

 

 

ଅମର ବିନାଶ କଲେ ତୁଟିବ ଆପଦ ।୪।

 

 

ଗୁରୁଦେବ ! ଆପଣ ଟିକେ ସାହାଯ୍ୟ ହେଲେ ଅମରକୁ ଆମ୍ଭେ ଗୁପ୍ତ ଭାବରେ ହତ୍ୟାକରି ପାରିବୁ ।

ଗୁରୁ

-

କଣ ହେଲା ? ଅମରକୁ ମାରିଦେବ, ମୂର୍ଖ ! ସେ ବୁଦ୍ଧି କର ନାହିଁ ।

ବାହାନ

-

ଗୁରୁଦେବ ! ଯଦି ଏ କଥାରେ ଆପଣ ସମ୍ମତି ନ ଦିଅନ୍ତି ତେବେ ଆପଣଙ୍କର ଓ ଅମରର ମୁଣ୍ଡକାଟ ନିଶ୍ଚେ କରିବୁ; ମୁଁ ଭଲରେ କହୁଛି, ଯଦି କିଛି ଅର୍ଥ ପାଇବାର ଆଶା ତେବେ ଯେତେ ମାଗିବେ ବର୍ତ୍ତମାନ ଦେଇ ପାରିବୁ ।

ଗୁରୁ

-

(ସ୍ୱାଗତଃ) ବାବାରେ ବାବା, ଅମର ସଙ୍ଗରେ ଆମ୍ଭର ମଧ୍ୟ ହାଣ ଯୋଗ; କଣ କରିବା ? ଯାହା ହେଉ ତାଙ୍କର ଭାଇରେ ଭାଇରେ ମରାମରି ହେଲେ କେତେ, ହଣାହଣି ହେଲେ କେତେ ? ଆମର କଅଣ ଯାଏ, ଯଦି ଏ ବଡ଼ ଦୁହିଁଙ୍କ ସପକ୍ଷ ହେବା ତେବେ ଯଥେଷ୍ଟ ଅର୍ଥ ମିଳିବ, ବ୍ରାହ୍ମଣୀ ଓ ଆମ୍ଭେ କିଛିଦିନ ସୁଖରେ ବଞ୍ଚିବା, (ପ୍ରକାଶ୍ୟେ) ହେଉ ହେଲା ବାହାନ ! ଆମ୍ଭେ ହାଣ ଯାଗାକୁ ଯିବୁନାହିଁ ।

ବାହାନ

-

(ଗୀତ)

 

 

ତୁମ୍ଭେ ନ କଲେ ପ୍ରଘଟ, ନ ପଡ଼ିପାରେ ସଙ୍କଟ,

 

 

କହେ ଦୀନ ବାଳକୃଷ୍ଣ ପଡ଼ିଲା ପ୍ରମାଦ ।୫।

 

 

ଗୁରୁଦେବ ! ହେଇ ଅମର ଆସିଲା ପରା ।

 

 

(ଅମର ପ୍ରବେଶ, ଗୁରୁ ଓ ଜ୍ୟେଷ୍ଠ ଭ୍ରାତଙ୍କୁ ଅଭିବାଦନ)

ଗୁରୁ

-

କିରେ ବଗୁଲିଆ, ତୋର ଆଜି ଏତେ ଡେରି କିଆଁ ?

ଅମର

-

ଗୁରୁଦେବ ! ଆଜି ମୋର ଅନେକ ବିଳମ୍ୱ ହୋଇଗଲା, କ୍ଷମା ଦିଅନ୍ତୁ ଅନ୍ୟଦିନେ ବିଳମ୍ୱ ହେଲେ ଦଣ୍ଡନୀୟ ହେବି ।

ଗୁରୁ

-

ଆଚ୍ଛା, ତୁମ୍ଭମାନଙ୍କୁ ଗୋଟିଏ କଥା କହିବାକୁ ଅଛି ।

ଅମର

-

କି କଥା ଗୁରୁଦେବ ।

ଗୁରୁ

-

ଆଜି ଏକାଦଶୀ, କିଛି ଫଳମୂଳ ଜଙ୍ଗଲରୁ ଆଣିଲେ ମୁଁ ପାରଣା କରିବି ।

ଅମର

-

ଗୁରୁ ! ଭାଇମାନେ ଯିବେ ତ ?

ଗୁରୁ

-

ବାହାନ, ତୋଫାନ ? ତୁମ୍ଭେମାନେ ଯିବ ତ ?

ବାହାନ

-

ଗୁରୁଦେବ । ଆପଣଙ୍କ ଆଜ୍ଞା ଆମ୍ଭେମାନେ କଣ ଅବଜ୍ଞା କରିପାରୁଁ, ଚାଲ ଅମର । (ସମସ୍ତେ ପ୍ରସ୍ଥାନ)

 

 

 

ଗୁରୁ

-

ଆରେ ଧନ ତ ହାତରେ ପଡ଼ିଲାନାହିଁ; ଏ ମାରିସାରିଲେ ମୋତେ ଧନ ଦେବେ ନାହିଁ । ଆଉ କଣ ପଛେ ପଛେ ଯିବି ? ନା, କାଳେ ସେମାନେ ଧରା ପଡ଼ନ୍ତି, ମୁଁ ସଙ୍ଗରେ ଥିଲେ ୧ମ ମୁଦାଲା, ମୁଁ ଯିବି ନାହିଁ ।

Image

 

ତୃତୀୟ ଦୃଶ୍ୟ

ବନପଥ

 

ଅମର

-

ଭାଇ, ହେଇତ ଅନେକ ପକ୍ୱଫଳ ଏହି ସ୍ଥାନରେ ଅଛି । ଆପଣ ଫଳ ତୋଳନ୍ତୁ ମୁଁ ଟିକିଏ ବିଶ୍ରାମ ନେଇ ଆପଣଙ୍କ ସହିତ ଯୋଗ ଦେବି ।

ବାହନ

-

ତୋଫାନ ! ଦେଖୁଛୁନା ଆମେ ଫଳ ତୋଳିବୁ ସେ ଶ୍ରମ ହରିବ । ଏ ମୂର୍ଖ ତ ରାଜଗାଦୀ ନ ଦେଖଣୁ ଏତେ ଦିମାକ୍‌, ସିଂହାସନକୁ ଗଲେ କଣ ନ କରିବ ?

ଅମର

-

ଭାଇ, ମୁଁ କଣ କହିଲି କି ଆପଣ ଏତେ ବିରକ୍ତ ହେଉଛନ୍ତି ?

ବାହନ

-

ମୂର୍ଖ ! ଫଳ ତୋଳିବାକୁ ଆସିଛୁ ? ତୋର ଜୀବନର ଫଳଟି ଆଜି ଆମ୍ଭେ ତୋଳିବୁ-!

ଅମର

-

ଭାଇ, ମୋର ଅପରାଧ କଣ ? ମୋତେ ବିନାଦୋଷରେ ବିନାଶିବ କାହିଁକି-?

ତୋଫାନ

-

ମୂର୍ଖ ! ବଞ୍ଚିଲେ ଦିନେ ତୁହି ହେବୁ ଆମ୍ଭ କାଳ, ଥିବାଯାଏ ପିଣ୍ଡରେ ପରାଣ ତୋହର, ନାହିଁ ଆମ୍ଭ କର୍ମେ ଏହି ରାଜ ସିଂହାସନ ।

ବାହାନ

-

ମୂର୍ଖ ! ପିତା ସତ୍ୟ କରିଛନ୍ତି ତୋତେ ସିଂହାସନରେ ବସାଇବେ ।

ଅମର

-

ନା ଭାଇ, ଏ କି ଅନ୍ୟାୟ କଥା, ଆପଣ ଜ୍ୟେଷ୍ଠପୁତ୍ର । ଆପଣ ସିଂହାସନରେ ନ ବସି ମୁଁ ବା କିପରି ବସିବି ?

ବାହାନ

-

ତୋଫାନ ! ଧର ଶୀଘ୍ର (ଅମର ପ୍ରତି) ଇଷ୍ଟ ଚିନ୍ତାକର ଦୁଷ୍ଟ ଥରେ ।

 

 

 

ଅମର

-

(ଗୀତ)

 

 

(ହାମସେ ନ ବେ ଲୋନା ମହାରାଜ - ବୃତ୍ତେ)

 

 

ସହୋଦର ପରକର କାହିଁକି ?

 

 

ମୁଁ ପରା ତୁମ୍ଭ କିଙ୍କର; କିମ୍ପା ମୋତେ କର ପାର

 

 

ଛାର ଏ ଐଶ୍ୱର୍ଯ୍ୟ ପାଇଁକି ।ଘୋଷା।

 

 

ଭାଇ ! ସାମାନ୍ୟ ସମ୍ପଦ ପାଇଁ ମୋର ଜୀବନ ନେବ ? ମୁଁ ପିତାଙ୍କୁ କହି ଆପଣଙ୍କୁ ସିଂହାସନରେ ବସାଇବି, ଏହା ମୋର ତ୍ରିବାର ସତ୍ୟ ।

ବାହାନ

-

ମୂର୍ଖ ! ପିତା ସତ୍ୟ କରିଛନ୍ତି ତୋତେ ସିଂହାସନ ଦେବେ ।

ଅମର

-

(ଗୀତ)

 

 

ସମ୍ପଦେ ନାହିଁ ଆଶା, ଦିଅ ଚରଣେ ଆଶ୍ରା,

 

 

ସହାୟ ଆଶା ଭରସା ନ ତୁଟା ଭାଇ ।

 

 

କଲେ ହେଲେ ନିରାଶା, ଉଡ଼ିଗଲା ମୋ ହଂସା

 

 

ହିଂସା ଖୋଜୁ ନାହିଁଟି ।୨।

 

 

ଭାଇ ! ନାହିଁ ଆଶା ସମ୍ପଦେ ମୋହର, କର୍ମେ ଯାହା ବିହି ଅଛି ଲିହି ତା ନିଶ୍ଚେ ଭୋଗିବ ମାନବ । ପୁଣି ଜୀବନଟା ନୁହେ ଚିରସ୍ଥାୟୀ, କିନ୍ତୁ ସମ୍ପଦଟା ଚିରଦିନ ଥୁଆ, ଅମର ହୁଅନ୍ତା ଯେବେ ମାନବ ଏ ଭବେ, ଦୃଢ଼କରି କହନ୍ତା ସେ ସମ୍ପଦ ମୋହର । ଭାଇ ! ବୁଝି ଅବୁଝା ହେଉଛ ତୁମେ ? ମୁହିଁ ତବ ଅନୁଗତ ଭୃତ୍ୟ, କ୍ଷମା ଦିଅ ମୋରେ, ଦୋଷୀ ହୋଇଛି ଅଜ୍ଞାନେ ।

ବାହନ

-

କି କ୍ଷମା ଚାହୁ ମୂର୍ଖ ।

ଅମର

-

(ଗୀତ)

 

 

ପ୍ରାଣେ ନ ମାର ଭାଇ, କେଣେ ଯିବି ପଳାଇ

 

 

କେହ୍ନେ ବିଦ୍ରୋହୀ ହୋଇ ରହିବି ତୁମ୍ଭପାଇଁ

 

 

ବାଳକୃଷ୍ଣ କହଇ, ତୁମ୍ଭଙ୍କୁ ଇଷ୍ଟଦ୍ୱାହି

 

 

କଷ୍ଟ ମନେ କାହିଁକି ।

 

 

ଭାଇ ! ପ୍ରାଣଭିକ୍ଷା ଦିଅ ଏ ଅଧୀନେ, ଲୋଡ଼ା ନାହିଁ ରାଜଗାଦୀ ମୋର । ଭିକ୍ଷାଝୁଲି ବହିହେଲେ ପୋଷିବି ମୋ ପେଟ । ମୋ ଲାଗି ଘଟିବ ଯେବେ ରାଜ୍ୟରେ ବିପ୍ଳବ ଅନ୍ୟଦେଶେ ପଳାଇବି ନିଶ୍ଚେ ସତ୍ୟ ସତ୍ୟ ।

ତୋଫାନ

ଭାଇ

-

ଦୁଃଖବେଳ କଥା ସୁଖବେଳେ ଥାଏନା କାହାରି ।

 

 

ବାହନ ଗୀତ (ତାଳ ଖେମଟା)

 

 

ଭଣ୍ଡା ଭଣ୍ଡି କଥା ଛାଡ଼ ଛାଡ଼ ଭଣ୍ଡ

 

 

ଖଣ୍ଡ ଖଣ୍ଡ ହେବୁରେ ।

 

 

ଅଣ୍ଡା ହୋଇ ତୁହି ଭେଣ୍ଡାଙ୍କ ଉଦରେ

 

 

ଦଣ୍ଡକରେ ଯିବୁରେ ।ପଦ।

 

 

ମେଣ୍ଢା ପଶୁ ପରି ତୋ ଷଣ୍ଢାରେ ଆଜି

 

 

ଖଣ୍ଡା ଦେବୁ ହୁଣ୍ଡାରେ ।

 

 

ଚଣ୍ଡାଳିଆ ବୁଦ୍ଧି ଦେଇଛିରେ ବିଧି

 

 

ଥଣ୍ଡା କରି ଦେବୁରେ ।୧।

 

 

ମୂର୍ଖ ସେ ଭଣ୍ଡାଭଣ୍ଡି କଥା ରଖିଦେ । ମେଣ୍ଢାକୁ ଯେପରି ଦେବୀଙ୍କ ନିକଟରେ ବୋଦା ଦିଆ ହୁଏ, ତୋତେ ଆଜି ଏ ବନଦେବୀଙ୍କ ନିକଟରେ ସେହିପରି ବୋଦା ଦେବି ।

 

 

(ଗୀତ)

 

 

ଗୁଣ୍ଡାକରି ତୋର ମଥାରେ,

 

 

ଛିଣ୍ଡାଇବୁ ମନୁଚିନ୍ତାରେ

 

 

ବାଳକୃଷ୍ଣ ବୋଲେ ବ୍ରହ୍ମାଣ୍ଡେ ତୁ ଥିଲେ

 

 

ପକାଇବୁରେ କାବୁରେ ।

 

 

ତୋଫାନ ଆଉ ଡେରି କାହିଁକି ? ବିଳମ୍ୱରେ ଘଟିପାରେ ବାଧା ।

ଅମର

-

(ଗୀତ)

 

 

(ରାଗ ଶଙ୍କରାଭରଣ)

 

 

ଦୟାନିଧି ଦୟା ପଦ ନାହିଁ କି ତୁମର

 

 

କାତରେ ଡାକିଲେ କିମ୍ପା ନ ଶୁଣ କର୍ଣ୍ଣର,

 

 

ପ୍ରାଣ ମୋର ଗଲା ଛାଡ଼ି

 

 

ଏ ବିପଦ ବେଳେ ପ୍ରଭୁ ନ ଆସ ଦଉଡ଼ି ।୨।

 

 

ପ୍ରଭୁ ଅଗାଧ ଜଳେ ଦ୍ୱିରଦ ଡାକିବା ସମୟେ ପଶାଖେଳ ଭାଙ୍ଗି ଲକ୍ଷ୍ମୀ ପାଶୁଁ ଚକ୍ରେ ନକ୍ର କରିଥିଲେ ବଧ, କିନ୍ତୁ ଏ ହତଭାଗା ଡାକ କିମ୍ପା ଶୁଣୁ ନାହ କର୍ଣ୍ଣେ ।

 

 

(ଗୀତ)

 

 

ଅଖିଳ ବ୍ରହ୍ମାଣ୍ଡ କର୍ତ୍ତା ପ୍ରଭୁ ଅନ୍ତର୍ଯ୍ୟାମୀ

 

 

ମୋ ଅନ୍ତର ବେଦନା କି ନ ପାରୁଛ ଜାଣି

 

 

ପଦ୍ମପାଦେ ଦିଅ ସ୍ଥାନ ।

 

 

ଏ ଭବ କଷଣୁ ମୋତେ କର ପରିତ୍ରାଣ ।୨।

 

 

ପ୍ରଭୁ ! ଜଗତର ଅନ୍ତର ବେଦନା ଜାଣି ପାରୁଛନ୍ତି, କିନ୍ତୁ ଏ ହତଭାଗାର ଅନ୍ତର କଥା ଜାଣିପାରୁ ନାହାନ୍ତି ।

ବାହନ

-

ମୂର୍ଖ । ଭାବିଛୁ ଭଗବାନ ରକ୍ଷା କରିବେ ?

ଅମର

-

(ଗୀତ)

 

 

କି ଛାର ସମ୍ପଦ ପାଇଁ ନିଅ ମୋ ଜୀବନ

 

 

ଏଥକୁ ସାକ୍ଷୀ ମୋହର ଲକ୍ଷ୍ମୀ ନାରାୟଣ,

 

 

ବାଳକୃଷ୍ଣ କଲା ଚିନ୍ତା,

 

 

ସମ୍ପଦେ ବିପଦେ ମୋତେ ନ ପକାଅ ଧାତା ।୪।

 

 

ଭାଇ ! ମାରିବତ ହଁ କିନ୍ତୁ ଏତକ କଥା ମୋର ମନେ ରଖିବାକୁ ହେବ, ଯେବେ ଏ ପୋଡ଼ା ଭାଗ୍ୟରେ ରାଜସିଂହାସନ ଅଧିକାର ଜଗଦୀଶ୍ୱର ଦେଇଥାନ୍ତି, ଆପଣ ମୋତେ ମାରି ଶ୍ୱାନ ଶୃଗାଳ ମୁଖରେ ଦେଲେ ସୁଦ୍ଧା ଅସ୍ଥିମାତ୍ର ଯେବେ ଶୃଗାଳ ବିଷ୍ଠାରେ ଥାଏ, ତେବେ ସେ ଅସ୍ଥି ଦିନେ ନିଶ୍ଚୟ ରାଜଗାଦି ଭୋଗ କରିବ । ପୁଣି ଯଦି ଆପଣଙ୍କ ଭାଗ୍ୟରେ ଦାସତ୍ୱ ସ୍ୱୀକାର କରିବାକୁ ଥାଏ ତେବେ ଆପଣ ଦିନେହେଲେ ମୋ ନିକଟରେ ଦାସତ୍ୱ ସ୍ୱୀକାର କରିବେ ଏଥିରେ ଅଣୁମାତ୍ର ସନ୍ଦେହ ନାହିଁ । ଈଶ୍ୱର ତୁମ୍ଭଙ୍କୁ ପରମାୟୁ ଦିଅନ୍ତୁ । (ଅମରକୁ ହାଣିବା ଅଭିନୟ)

Image

 

ଚତୁର୍ଥ ଦୃଶ୍ୟ

(କକ୍ଷ)

(ରାଜା, ବିଦ୍ୟାଗୁରୁ, ବାହନ ଓ ତୋଫାନ)

 

ରାଜା

-

ବାହାନ, ତୁମ୍ଭମାନଙ୍କର ମୁଖ ଏପରି ବିରସ ଦେଖା ହେଉଛି କାହିଁକି ? ମୁଁ ତ କିଛି ବୁଝି ପାରୁନାହିଁ ।

ବାହନ

-

ଗୀତ (ତାଳ-ଛପକା)

 

 

କି କହିବି ପିଅର ହେ ପ୍ରିୟପୁତ୍ର ଗଲାଣି,

 

 

ଅମର ଅମରପୁରେ ଧାତା ସ୍ଥାନ ଦେଲାଣି ।ଘୋଷା।

 

 

ପିତଃ, ଅମର ଏ ଦୁର୍ଭାଗାମାନଙ୍କ ସଙ୍ଗ ଛାଡ଼ି ସ୍ୱର୍ଗଧାମରେ ନିଶ୍ଚିନ୍ତରେ ବସିଲାଣି ।

ରାଜା

-

କଣ ହେଲା, ଅମର କୁଆଡ଼େ ଗଲା ? ଗୁରୁଦେବ ।

ଗୁରୁ

-

ମହାରାଜ ! ହେ ହେ ହୁ ହୁ ।

ବାହାନ

-

(ଗୀତ)

 

 

ଏ ଦୁର୍ଭାଗା ସଙ୍ଗ ଛାଡ଼ି ସିଂହମୁଖେ ଗଲାପଡ଼ି,

 

 

ଶ୍ରୀମୁଖ କମଳ କଢ଼ି ଲୋପ କାହିଁ କଲାଣି ।୧।

 

 

ପିତଃ ! ସ୍କୁଲକୁ ଯିବା ସମୟରେ ଅମର ସିଂହ ମୁଖରେ ପତିତ ହେଲା ।

ରାଜା

-

କଣ ହେଲା, ଅମର ସିଂହ ମୁଖରେ ପତିତ ହେଲା ?

ବାହାନ

-

ଅମର କଣ ଆଉ ନାହିଁ ?

ବାହାନ

-

(ଗୀତ)

 

 

କରିଥିଲୁ ଦୃଢ଼ ଆଶା ଅମର ହେବ ଭରସା

 

 

ବଳାକୃଷ୍ଣ ବୋଲେ ଦଶା ମନ୍ଦ ହେଲା ଏକ୍ଷଣି ।

 

 

ପିତଃ । ଆମ୍ଭେମାନେ ଭରସା କରିଥିଲୁ ଅମର ଆମ୍ଭର ସାହା ପକ୍ଷ ଭରସା ହେବ ବୋଲି, କିନ୍ତୁ ବିଧାତା ସେକଥା ବେଶିକାଳ ରଖିଲା ନାହିଁ ।

ରାଜା

-

ଗୁରୁଦେବ ! ସତେ ଅମର କଣ ଆଉ ନାହିଁ ? ମୋର ସ୍ନେହର ଅମର ଆଉ କଣ ନାହିଁ ।

 

 

ଗୀତ - (କୀର୍ତ୍ତନ ସ୍ୱର)

 

 

କହ ଗୁରୁ କହ ମୋତେ ବୁଦ୍ଧି ଦିଶୁନାହିଁରେ ।

 

 

ଅମର ବିହୁନେ ପ୍ରାଣ ଧରି କାହିଁ ପାଇଁରେ,

 

 

ଆଉ କି କରିବି, ଅମର ବିହୁନେ ପ୍ରାଣ ଦେବି ।୧।

 

 

ଗୁରୁଦେବ ! ଅମର ନିଶ୍ଚିନ୍ତରେ ସ୍ୱର୍ଗବାସ କଲା । ଏ ଅଭାଗା ପିତାକୁ ସଙ୍ଗେ ନ ନେଲା କାହିଁକି ?

ଗୁରୁ

-

ମହାରାଜ ! ଆଉ ଭାବିଲେ କଣ ହେବ, ମଲାପୁଅ କି ବାହୁଡ଼ି ଆସିବ ।

ରାଜା

-

(ଗୀତ)

 

 

ସର୍ବଗୁଣେ ଅଳଂକୃତ ହୋଇ ହୋଇଲା ନିଶ୍ଚିନ୍ତ

 

 

ଆଉ କେବା ସାମରଥ ନ ଦିଶଇ କାହିଁରେ ।

 

 

କହ ଯିବି କାହିଁ, ଅମରକୁ ସତେ ଦେଖିବଇଁ ।୨।

 

 

ଗୁରୁଦେବ । ଅମର କେତେ ଗୁଡ଼ାଏ ପଢ଼ି ନ ଥିଲା ? ତାର କେତେ ବୁଦ୍ଧି, ସେ କ୍ଷଣକ ମଧ୍ୟରେ କୁଆଡ଼େ ପଳାଇଗଲା ।

ଗୁରୁ

-

ମହାରାଜ ! ମୋ ପେଟରେ ଯେତେ ବିଦ୍ୟା ଥିଲା ସେ କେଇଟା ଦିନରେ ଏକାନଟକେ ଖୋଳିନେଇ ଯାଇଥିଲା ।

ରାଜା

-

(ଗୀତ)

 

 

ଶଶିକଳା, ପ୍ରାୟେ ବଢ଼ି, କ୍ଷଣେ କେଣେଗଲା ଉଡ଼ି

 

 

ତା ଲାଗି ଏ ପ୍ରାଣ ଛାଡ଼ି ଜୀବ ଗଲା ଯହିଁରେ ଅମର ଫେରିବ,

 

 

(ସତେ) ପିତା ପିତା ବୋଲି କୋଳ ହେବ ।୩।

 

 

ଆଉ ସତେ ଅମର ଆସି ମୋ କୋଳରେ ପିତାପିତା ବୋଲି କୋଳ ହୋଇ ପଡ଼ିବ-

ଗୁରୁ

-

ମଲା ପୁଅର ଗଳା ରୋଟ, ପ୍ରକୃତ କେଇଟା ଦିନରେ କେଡ଼େ ଟୋକାଟାଏ ହୋଇଥିଲା ।

ରାଜା

-

ବର୍ତ୍ତମାନ କଣ କରିବି, ମୁଁ ଜାଣିଥିଲି ମୋ ତିନିପୁତ୍ର ମଧ୍ୟରେ ଅମର ଉପଯୁକ୍ତ, ସେହି ମୋର ସିଂହାସନରେ ବସିବା ପାତ୍ର । ସେ ଏବେ କୁଆଡ଼େ ଗଲା, ଗୁରୁଦେବ-! (ବାହାନ ଓ ତୋଫାନ ପ୍ରତି) ଏମାନେ ରାଜକାର୍ଯ୍ୟ ଚଳାଇ ପାରିବେ ତ ?

ଗୁରୁ

-

ଉଁ ହୁଁ ହୁଁ

ରାଜା

-

ଗୁରୁଦେବ ! ଏମାନେ ରାଜଗାଦିରେ ବସିବା ଉପଯୁକ୍ତ ହୋଇ ନାହାନ୍ତି । ଏମାନଙ୍କୁ ଗୋଟିଏ ବିଷୟ କହିବି ।

ଗୁରୁ

-

କହନ୍ତୁ ମହାରାଜ । ପ୍ରକୃତ ଏମାନେ ଉପଯୁକ୍ତ ନୁହନ୍ତି ।

ରାଜା

-

(ଗୀତ)

 

 

ଯାଆରେ ବେନି କୁମର, କର ବାଣିଜ୍ୟ ବେଭାର

 

 

ବାଳକୃଷ୍ଣ ବୋଲେ ମୋର ପରାମର୍ଶେ ରହି ରେ ।

 

 

ଧନାଗାରୁ ଧନ,

 

 

ନେଇ ବାଣିଜ୍ୟରେ ଦିଅ ମନ ।

 

 

ବାହାନ ! ତୋଫାନ ! ତୁମ୍ଭେମାନେ ଭଣ୍ଡାରରୁ ଧନ ନେଇ ବାଣିଜ୍ୟ ବେଭାର କରି ଯାଅ । ସେଥିରେ ତୁମ୍ଭର ବୁଦ୍ଧି ଶୁଦ୍ଧି ହୋଇଗଲେ ରାଜଗାଦିରେ ବସିବ । (ରାଜାଙ୍କ ପ୍ରସ୍ଥାନ)

ବାହାନ

-

ହେଉ ପିତା ।

ଗୁରୁ

-

ବାହାନବାବୁ ଟଙ୍କା

ବାହାନ

-

କି ଟଙ୍କା ? ପିତାଙ୍କୁ ମାଗ । (ପ୍ରସ୍ଥାନ)

ଗୁରୁ

-

ଏଗୁଡ଼ାକ କଥାରେ ପଡ଼ି ମଣିଷ ମଲା । (ପ୍ରସ୍ଥାନ)

Image

 

ଦ୍ୱିତୀୟ ଅଙ୍କ

ପ୍ରଥମ ଦୃଶ୍ୟ

 

(ପ୍ରମୋଦ ଉଦ୍ୟାନ)

(ବିଳାସ କୁମାରୀ ଓ ସଖିଗଣ)

 

ବିଳାସ

-

ସଖି, ଏ ଜଙ୍ଗଲଟି କିପରି ନାନା ପୁଷ୍ପ ଓ ସୁକୋମଳ ପଲ୍ଲବ ବିମଣ୍ଡିତ ହୋଇ ଜନମନ ହରଣ କରୁଛି । ଦେଖିଲ ନାଗେଶ୍ୱର, ପଲାଶ, ଛୁରୀଅନା, ସୁନାରୀ; ପୁନାଗ ପ୍ରଭୃତି ବୃକ୍ଷରାଜି କିପରି କମନୀୟ ରୂପ ଧାରଣ କରିଛନ୍ତି । ସତେକି ତାଙ୍କର କାନ୍ତ ଆସିବେ ବୋଲି ସେ ଏପରି ବେଶଭୂଷା ହୋଇ ବସିଛନ୍ତି ।

୧ମା ସଖି

-

ହଁ ହଁ, ଜେମାଦେଈ ! ଏ ଶିମିଳିଗଛଟା ଲଣ୍ଡା ହୋଇ ପଡ଼ିଥିଲା ଦେଖିଲ ଆଜି କେଡ଼େ ସୁନ୍ଦର ଫୁଲଗୁଡ଼ିଏ ଫୁଟିଛି ।

ବିଳାସ

-

ସଖି ! ଆଉ କଣ କିଛି ପୁଷ୍ପ ନ ଥିଲା ? ତୁମ୍ଭର ସେହି ଶିମିଳି ଫୁଲରେ ମନଟା ରମିଗଲା କାହିଁକି ?

୧ମା ସଖି

-

ମଲା, ଶିମିଳି ଫୁଲର କଣ ହୋଇଛି କି ? ସେ ତ କେଡ଼େ କେଡ଼େ ନାଲିଆ ଫୁଲଟାମାନ ।

୨ୟ ସଖି

-

ସଙ୍ଗାତ । ଦେଖିଲ ଏ ବଉଳ ଗଛଟି କିପରି ଫଳରେ ଭାଙ୍ଗି ପଡ଼ୁଛି ।

ବିଳାସ

-

ସଖି ! ମୋର କାହିଁକି ଏ ସୁରମ୍ୟ ସ୍ଥାନରୁ କେଣେ ଯିବାକୁ ମନଟା ତିଳେ ମାତ୍ର ବଳୁ ନାହିଁ ।

୧ମା ସଖି

-

ହଁ ହଁ ଜେମାମଣି, ଏହି ବାଟଦେଇ ନିତି ଆମେ ହରସେବା କରିବାକୁ ଯାଉ । ଦିନେ ତ ହେଲେ ଏପରି ଶୋଭା ଦେଖି ନ ଥିଲୁଁ ।

ବିଳାସ

-

ପ୍ରକୃତ ସଖି, ଆଜି ନିଶ୍ଚୟ କୌଣସି ଦଇବିଶକ୍ତି ବଳରୁ ଏ ସ୍ଥାନଟି ଏପରି ଶ୍ରୀ ଧାରଣ କରିଛି । ତା ନ ହେଲେ ଦିନ ତ କାହିଁ ଏପରି ଅନୁଭବ କରି ନ ଥିଲୁ ।

 

 

(ଗୀତ)

 

 

ସଙ୍ଗୀନି ! କୁଞ୍ଜବନ ଦିଶେ କେଡ଼େ ମନୋହରା ।

 

 

ଫୁଲ ଫୁଟି ନାନା ଜାତି ବାସ ପଡ଼ୁଛି ଚହଟି

 

 

ବିରହିଣୀ ମନ ଲୁଟି କରି ନେଉଛି ପରା ।

 

 

ମଧୁକର ମଧୁ ଆଶେ ଚୁମ୍ୱଇ ଫୁଲ ହରଷେ

 

 

ପ୍ରେମିକାର ପ୍ରାଣନାଶେ ରତି ହୃଦୟାର ହାରା ।୧।

 

 

ସଙ୍ଗିନି ! ନିମିଷକ ପାଇଁ ହେଲେ କାହିଁ ଏ ସ୍ଥାନ ଛାଡ଼ିବାକୁ ମୋ ମନଟା ବଳୁ ନାହିଁ-? ଦେଖ, ଦେଖିଲ ସଖି, ଏ କଣ ଦେଖିଲଣି ।

୧ମା ସଖି

-

କଣ ମ ?

ବିଳାସ

-

ଦେଖ ଯେ ଶାଳ୍ମଳୀ ବୃକ୍ଷ ମୂଳେ କେଡ଼େ ସୁନ୍ଦର ପୁରୁଷଟିଏ ଶୋଇଛନ୍ତି ।

୧ମା ସଖି

-

ଆଛା ମାଇପିଟିଏ, ଆପେ ଚମକିବେ ସମସ୍ତଙ୍କୁ ଚମକାଇବେ ।

ବିଳାସ

-

ସଖି; ଦେଖିଲୁ କି କମନୀୟ ମୁଖକାନ୍ତି ।

 

 

ଗୀତ - (ତାଳ କଓ୍ୟାଲି)

 

 

ଆହା କି ସୁନ୍ଦର ଶ୍ରୀମୁଖ ଗୋଟି,

 

 

ସଖି ଦେଖିଲୁଟିକି ମନମୋହନ ମୂର୍ତ୍ତି

 

 

ଜିଣି ନବ ରବିଙ୍କିକିଣି ନେଉଛି ମତିକି ।ଘୋଷା।

 

 

ସଖି ଏ ପୁରୁଷଟି କିଏ ? ଧାତା ତାଙ୍କୁ କେତେକାଳ ବସି ଗଢ଼ି ନ ଥିଲା, ତାଙ୍କ ମୁଖକମଳ ଜ୍ୟୋତି ଚନ୍ଦ୍ର ସୂର୍ଯ୍ୟଙ୍କୁ ନିନ୍ଦା କରୁଛି ।

ସଖି

-

ଜେମାଦେଈ । ଏ କି ପୁରୁଷମ ? ଏହାଠାରୁ ବଳି କେଡ଼େ ସୁନ୍ଦର ପୁରୁଷ ଅଛନ୍ତି ।

ବିଳାସ

-

(ଗୀତ)

 

 

ପତିବରତା ହେଲେ ତେଜିବେ ପତି

 

 

ଅନୁସରିବେ ତାର ଚରଣେ ଲୋଟି ।

 

 

କୋଟି କନ୍ଦର୍ପ ଜ୍ୟୋତି ଆଣିଦଅ ମୋ କତି ।

 

 

ୟା ବିନା ନାହିଁ ବାଳି ପ୍ରାଣ ବନ୍ଧୁଟି ।୧।

 

 

ସଖି । ସେ ଲାବଣ୍ୟ ରୂପକୁ ଦେଖି କେଉଁ ରମଣୀ ତାର ପାତିବ୍ରତ୍ୟ ବିସ୍ମିତ ନ ହୋଇ ତାଙ୍କ ପଦର ଦାସୀ ହେବାକୁ ଇଚ୍ଛା ନ କରିବ । ସଙ୍ଗାତ ! ଏତେ ଦିନେ ମୋର ବ୍ରତଟା ସମ୍ପୂର୍ଣ୍ଣ ହୋଇଛି । ହେ ଗଙ୍ଗାଧର । ଯଦି ଅଧୀନାରେ କୃପାଦୃଷ୍ଟି ଥାଏ ତ ଏ ମୋର ପତି ହେଉନ୍ତୁ ।

ଦାସୀ

-

ହଇ ଗୋ ଜେମାଦେଈ ! ତୁମ୍ଭେ କାହାକୁ ପତିରେ ବରଣ କରୁଛ ମ, ସେ କିଏନା କିଏ ବାଟୋଇ ଜଣେ ବାଟରେ ଶୋଇଛି, ତୁମ୍ଭେ ତାକୁ ପତିରେ ବରଣ କରିସାରିଲାଣି ।

ବିଳାସ

-

ସଖି ! ଆଉ କିଏ ବୋଲି କହନା, ମୁଁ ତାଙ୍କୁ ପତିତ୍ୱରେ ବରଣ କରିସାରିଲିଣି, ତୁମେ ଯାଅ ତାଙ୍କୁ ଉଠାଇ ପଦେ କଥା ପଚାରିବ ।

୧ମା ସଖି

-

କାହାକୁ ମ ! ସେ ମରଦ ଜଣେ ଶୋଇଛି, ଆମେ ମାଇପେ ଦିଟା କାହିଁକି ତା ନିକଟକୁ ଯିବୁ, ଆମ୍ଭଠୁ କଣ ଲଜ୍ଜାଶର୍ମ ଏକାବେଳକେ ଛାଡ଼ିଗଲା ?

ବିଳାସ

-

ସଖି ? ମୋ ରାଣଟି, ମୋ ମୁଣ୍ଡ ଖାଅଟି, ଯାଅ ତାଙ୍କୁ ଉଠାଇବ ।

୧ମା ସଖି

-

ଜେମାଦେଈ ! କଣ କହୁଛ ମ ? ତମର ଖାଲି ସବୁବେଳେ ଏକଜିଦ କଥା । (ସୁନାପ୍ରତି) ହଇଲୋ ସୁନା, ତୁ ଯିବୁଟି ?

ସୁନା

-

ମୁଁ ଏକା ଯିବି ? ଏହା କେବେ ହେବ ନାହିଁ । ତୁ ଯେବେ ଯିବୁ, ମୁଁ ଯିବି ।

୧ମା ସଖି

-

ହଉ ଚାଲ, ମୁହଁଟାକୁ ପରା ଧାନ ଉଷୁଆଁ ହାଣ୍ଡି ପରି ନଦିଦେଲେଣି ।

 

 

(ଅମର ନିକଟ ଯିବା, ମୁର୍ଦ୍ଦାର ଦେଖି ଚମକି ପଡ଼ି)

 

 

ଇଲୋ ବାପା ଲୋ, ଗୋଟାଏ ମୁର୍ଦ୍ଦାରଟା ! ମଶାଣିରେ ଆସି ପଶିଗଲେଣି, ଚାଲ ଚାଲ ଜେମାକୁ କହିବା ।

ବିଳାସ

-

ସଖି ! କଣ କହିଲେ, ତୁମ୍ଭେ ଚିହ୍ନା ଦେଲ ତ ?

୧ମା ସଖି

-

ମଲା ତମର ପୁଣି ହସ ବାହାରୁଛି ?

ବିଳାସ

-

କଣ ଗାଳି ଦେଲେ କି ?

୧ମା ସଖି

-

ହଁ ଗାଳି ଦେଲେ, କି ହୋ, ସେ ପରା ମୁର୍ଦ୍ଦାରଟା ପଡ଼ିଛି । ତା ବେକ ଅଧେ ହଣା ହୋଇଛି ।

ବିଳାସ

-

ସଖି । ମିଥ୍ୟା କଥା । ଚାଲିଲ ଦେଖିବା ।

୧ମା ସଖି

-

ଆଉ ହେବ ନାହିଁ ହେବ ନାହିଁ । କିହୋ ମୁର୍ଦ୍ଦାରଟା କତିକି କାହିଁକି ଯିବ ? ବେଳ ଆସି ଏତେ ହେଲାଣି, ବାପା ତେଣେ ବିରକ୍ତ ହେଉଥିବେ । ଆସିବଟି ଯିବା ।

ବିଳାସ

-

ମୁଁ ତାଙ୍କୁ ନ ଦେଖିଲେ କୁଆଡ଼କୁ ଯିବି ନାହିଁ ।

୧ମା ସଖି

-

ଚାଲ ସାଙ୍ଗରେ ତ ଆସିଛୁ ଯାହା କରିବାର କରିଯିବ ।

 

 

(ମୁର୍ଦ୍ଦାର ଦେଖି)

ବିଳାସ

-

ସଖି । କିଏ ଏପରି ନିଷ୍ଠୁର କାର୍ଯ୍ୟ କରିଛି ?

୧ମା ସଖି

-

ମଲା, ଯିଏ ଯାହାର ଦୋଷ କଲା ସେ ତାକୁ ମାଇଲା ହାଣିଲା, ତମକୁ କାହିଁକି ଏତେ ଚିନ୍ତା ଲାଗିଛି ମ ?

ବିଳାସ

-

ଏ ଦୋଷକଲା ବ୍ୟକ୍ତି ?

୧ମା ସଖି

-

ଦୋଷକଲା ଲୋକ ଗୋଟିଏ କିସମରେ ଥାନ୍ତି ପରା ? କିହୋ ତୁମ୍ଭେ ମୁର୍ଦ୍ଦାରଟା ପାଖକୁ ଯାଉଛ କାହିଁକି ?

ବିଳାସ

-

ମୁର୍ଦ୍ଦାର କିଏ ସଖି ।

 

 

(ଗୀତ)

 

 

(କଳା କଳେବର କହ୍ନାଇ - ବୃତ୍ତେ)

 

 

ଏହି ମୋ ପରାଣଧନ ଗୋ ଘେନ ସଦନେ ମୋର

 

 

ହର ସେବି ବର ପାଇଛି ଯୋଗ୍ୟ ହେବେ ମୋହର ।

 

 

ସଖି ! ମୁଁ ହରଙ୍କୁ ସେବି ବର ପାଇଛି ପରା ?

୧ମା ସଖି

-

ହରଙ୍କୁ ସେବା କରି ମୁର୍ଦ୍ଦାରଟାଏ ପାଇଲ, ତମର ମତଲବ ଖରାପ ହୋଇଗଲାଣି କି ?

ବିଳାସ

-

(ଗୀତ)

 

 

ସୁରଙ୍ଗ ଅଧରୁ ମଧୁକୁ ପିଇ ହୋଇବି ଶାନ୍ତି

 

 

ହୃଦୟପଲଙ୍କେ ଲଗାଇ ରସେ ପୂଜିବି ନିତି ।୨।

 

 

ସଖି ! ହରଙ୍କୁ ଆଉ ସେବା କରିବି ନାହିଁ । ଯଦି ହରଙ୍କ କୃପାରୁ ଏ ବରଟି ପାଇଛି ତେବେ ଆଜିଠାରୁ ଏହାଙ୍କୁ ହିଁ ସେବା କରିବି ।

ସଖି

-

ହଁ ହଁ, ହର କହିଥିଲେ ମୋତେ ସେବା କରିବୁ ଏ ମୁର୍ଦ୍ଦାରଟାକୁ ବିଭା ହେବୁ ।

ବିଳାସ

-

ସଖି ! ମୁର୍ଦ୍ଦାର କୁହନା ।

 

 

(ଗୀତ)

 

 

ସହଚରି ! ତାତେ ଜଣାଇ ବିଭା କରାଅ ମୋତେ,

 

 

ସୌଭାଗ୍ୟବଳେ ମୁଁ ପାଇଛି ବାଳା ଥିବ ନିଶ୍ଚିନ୍ତେ ।୩।

 

 

ସଖି ! ପିତାଙ୍କୁ ଜଣାଇ ଏ ବରଟିକୁ ମୋତେ ବିବାହ କରାଇ ଦିଅ ।

ସଖି

-

କିହୋ; ତମେ ତ ବେଶ୍‌ କଥା କହୁଛ । ପିତାଙ୍କୁ କହି ମୁର୍ଦ୍ଦାରଟାକୁ ବିଭା କରାଇବୁ ।

ବିଳାସ

-

ସଖି ! ଏ ବରକୁ ଧର, ଘରକୁ ନେବା ।

ସଖି

-

ଆଉ ହବ ନାହିଁ ହବ ନାହିଁ, କାଳ କଣ ଲଟାରେ ପଶିଲା । ସେଇଟା ସଢ଼ିକରି ଗନ୍ଧେଇଲାଣି, ସେ କି ପାପ କରିଥିଲା କେଜାଣି ତାକୁ କାଉ ଶାର୍ଗୁଣା ଛୁଉଁ ନାହାନ୍ତି, ତେମେ ତାକୁ ପୁଣି ଘରକୁ ନେବ ?

ବିଳାସ

-

ଧର ସଖି ! ବିଳମ୍ୱ କରୁଛ କାହିଁକି ?

ସଖି

-

ୟା ନା କଣ କଥା । ଏତେବେଳଟାରେ ମୁର୍ଦ୍ଦାରଛୁଆଁ ହେବାକୁ ଯିବୁ । ମୁଣ୍ଡରେ ଟିକିଏ ଲଗାଇବାକୁ ନାହିଁ, ଉଙ୍କୁଣିଗୁଡ଼ାକ ସଲସଲ କରି ଖାଉଛନ୍ତି, ମୁର୍ଦ୍ଦାର ଛୁଆଁ ହୋଇ ଅଇଛିକା ପାଣିରେ ବୁଡ଼ିବାକୁ ଯିବୁ ।

ବିଳାସ

-

ସଖି ! ମୋ କଥା ତେବେ ରଖିବ ନାହିଁ, ତମ ହାତ ଧରୁଛି, ଗୋଡ଼ ଧରୁଛି ।

ସଖି

-

ଏ ତ ଆଚ୍ଛାକଥା ହେଲା, ହଇଲୋ ସୁନା ! କଣ କରିବା ।

୨ୟା ସଖି

-

ମଲା, ସାଙ୍ଗରେ ଆସିଥାଇ, ଆଉ କଣ ତାଙ୍କୁ ଜଙ୍ଗଲରେ ଛାଡ଼ିଦେଇଯିବା, ସେ ଯାହା କହୁଛନ୍ତି ତା କରିବା ଦରକାର ।

୧ମା

-

ଟୋକି, ତୋଠେଇଁ ସତର ନବରଙ୍ଗ ଅଛି । ଧର, ଅକଳରେ ତ ପଡ଼ିଥାଇ । (ପ୍ରସ୍ଥାନ)

Image

 

ଦ୍ୱିତୀୟ ଦୃଶ୍ୟ

 

ବୈଠକଖାନା

(ରାଜା ସୁରାଟ ସିଂହ)

 

୧ମ ଦାସୀ

-

ମହାରାଜ ! ଜେମାଦେଈ ଜଙ୍ଗଲରୁ ଗୋଟିଏ ବର ଆଣିଛନ୍ତି ।

ରାଜା

-

ବିଳାସ ! ଗୋଟିଏ ବର ପାଇଛି ? ବଡ଼ ଭାଗ୍ୟର କଥା, ତାର ଉପଯୁକ୍ତ ତ ?

୨ୟା ସଖୀ

-

ବର କଣ ? ମୁର୍ଦ୍ଦାରଟାଏ ତ ।

ରାଜା

-

ଦାସୀ, ମୁର୍ଦ୍ଦାର କଣ ?

୧ମା ସଖୀ

-

ହଁ ହଁ, ମୁର୍ଦ୍ଦାରଟିଏ ଆଣିଛନ୍ତି ।

ରାଜା

-

ମୁର୍ଦ୍ଦାରଟାଏ ଆଣି ବିଭା ହେବାକୁ କହୁଛି ? କି ଆଶ୍ଚର୍ଯ୍ୟ କଥା, ସେ ମୁର୍ଦ୍ଦାର ଅଛି କେଉଁଠି ?

୧ମା ସଖୀ

-

ମହାରାଜ ! ମୁର୍ଦ୍ଦାର ପଲଙ୍କ ଉପରେ ଶେଯମାଠ ଉପରେ ଶୋଇଛନ୍ତି ।

ରାଜା

-

ଚାଲିଲୁ ଦେଖିବା ।

Image

 

ତୃତୀୟ ଦୃଶ୍ୟ

(ଅନ୍ତଃପୁର)

 

ରାଜା

-

ବିଳାସ ! ଜଙ୍ଗଲକୁ ହରସେବା କରି ଯାଇଥିଲ, (ରାଜାକୁ ଦେଖି ବିଳାସ ମାନ୍ୟ କରିବା) ଭଲରେ ଫେରିଆସିଛ ତ ?

ବିଳାସ

-

ହଁ ପିତା ! ଭଲରେ ଫେରିଆସିଛି, କିନ୍ତୁ ଆଉ ଗୋଟିଏ କଥା ।

ରାଜା

-

କି କଥା ।

ବିଳାସ

-

ପିତା ! ମୋର ଉପଯୁକ୍ତ ଗୋଟିଏ ବର ଜଙ୍ଗଲରୁ ପାଇଛି ।

ରାଜା

-

ଦାସୀ, କଣ କହୁଥିଲୁ ?

ଦାସୀ

-

ଆପଣ ଭଲକରି ପଚାରୁ ନାହାନ୍ତି । ଆମ ଉପରକୁ ରାଗୁଛନ୍ତି କାହିଁକି ?

ରାଜା

-

ବିଳାସ ! ସେ ବରକୁ ଡାକିଲୁ ଦେଖିବା ।

ବିଳାସ

-

ପିତା ! ତାଙ୍କର ଜୀବନ ନାହିଁ ।

ଦାସୀ

-

ଆମ କଥାଟା ଗନ୍ଧାଉ ଥିଲା ।

ରାଜା

-

ବିଳାସ ! ଜୀବନ ନାହିଁ ? ସେ କି ପ୍ରୟୋଜନ । ତୋ ବୁଦ୍ଧି ବିଭ୍ରମ ହୋଇଛି କି-?

ଦାସୀ

-

ମହାରାଜ ! କି ଗନ୍ଧ କଲାଣି । (ନାକରେ ହାତ ଦେବା)

ରାଜା

-

ଦାସୀ ! ଉଠା, ସେ ମୁର୍ଦ୍ଦାର ଉଠା ।

ଦାସୀ

-

ମଲା, ଆଣିବାକୁ କିଏ କହୁଥାଏ ପୁଣି ପକାଇ ଦେବାକୁ କିଏ କହୁଥାଏ ?

ରାଜା

-

ଉଠା ଶୀଘ୍ର ।

ବିଳାସ

-

ନା ସଖି !

ସଖି

-

ପିତା ପରା ବିରକ୍ତ ହେଉଛନ୍ତି ।

ବିଳାସ

-

ନା ନା, ମୁଁ ଛାଡ଼ିବି ନାହିଁ ।

ରାଜା

-

ବିଳାସ ! ମୋ କଥା ମାନ, ମୁଁ ତୋତେ ସ୍ୱୟମ୍ୱର କରି ବିବାହ ଦେବି । ମୋ ମାଆ ପରା, ଦାସୀ ! ଉଠା ଶୀଘ୍ର ।

ଦାସୀ

-

ଛାଡ଼ିବଟି ଗୋ ।

ବିଳାସ

-

ନା ସଖି ! ଛାଡ଼ିବି ନାହିଁ ।

ରାଜା

-

ବିଳାସ ! ତୋତେ କଣ ଭଲ ମଙ୍ଗଳ ଦେଖା ଯାଉନାହିଁ ।

ବିଳାସ

-

ମୁଁ ଭଲ ମନ୍ଦ ଜାଣେ ନା ।

ରାଜା

-

ମୁର୍ଦ୍ଦାରଟାକୁ ଫିଙ୍ଗି ଦେ ।

ବିଳାସ

-

ନା ପିତା ।

 

 

(ସକ୍ରୋଧେ ଗୀତ)

 

 

(ସୁଖ ସଂସାରର ବୃତ୍ତେ)

 

 

ଧକ୍‌କା ଦେଇ ୟାକୁ ପଥ ଦେଖାରେ ।

 

 

ଏ ରାକ୍ଷସୀକୁ ଦଣ୍ଡେ ନାହିଁ ରକ୍ଷାରେ । ଘୋଷା।

ଦୂର

-

ରାକ୍ଷସୀ ! ତୋର ମୁଖ ଆଉ ଚାହିଁବି ନାହିଁ ।

 

 

(ଗୀତ)

 

 

ଶବ କେବା ଧବ କରିଛି ମହୀ,

 

 

ଦିନେ କର୍ଣ୍ଣେ ଯାହା ଶୁଣାତ ନାହିଁ ।

 

 

ଏ ପାଷାଣ୍ଡୀ ହୁଣ୍ଡି ଚଣ୍ଡୀ କି ଚାମଣ୍ଡୀ

 

 

ଚାଣ୍ଡେ ନିଅ ପିଣ୍ଡେ ହୁଏ ଶଙ୍କାରେ ।

 

 

ଲୋ ରାକ୍ଷସି ! ଜଗତରେ କିଏ ମୁର୍ଦ୍ଦାରକୁ ବିଭା ହୋଇଛି ନା ତୁ ବିଭା ହେବୁ-?

 

 

(ବିଳାସର ଅଧୋବଦନେ ନିରୁତ୍ତର)

ରାଜା

-

(ଗୀତ)

 

 

ନିର୍ଲ୍ଲଜ୍ଜୀକୁ ଳଜ୍ଜା ଗଲା କି ଛାଡ଼ି

 

 

କି ବେଲଜ୍ଜା କଥା କରିଲା ହୁଡ଼ି ।

 

 

ବରିଲା ମୁର୍ଦ୍ଦାର ଦୋଚାରି ସର୍ଦ୍ଦାର

 

 

କଦାକାଳେ ହେଲେ ଦେବ ଶଙ୍କାରେ ।୨।

 

 

ଦାସୀ ! ଏ ନିର୍ଲ୍ଲଜ୍ଜୀକୁ କଣ ଲଜ୍ଜା ସରମ ଛାଡ଼ିଗଲା ? ରାକ୍ଷସୀ, ମଲୁ ନାହିଁ । ଦାସୀ ୟାକୁ ଗୃହରେ ରଖି ମଙ୍ଗଳ ନାହିଁ ।

 

 

(ଗୀତ)

 

 

ଳକ୍ଷେ ରାଜା ଯାକୁ ଝୁରନ୍ତି ବସି,

 

 

ବକ୍ଷ ବିଦାରିଲୁ ମୁର୍ଦ୍ଦାରେ ରସି ।

 

 

ପୋଷି ଆଜନ୍ମରୁ ଅଙ୍ଗେ ଦେଲା ଚଡ଼

 

 

ବାଳକୃଷ୍ଣ ବୋଲେ ଦଇବ ଲେଖାରେ ।୩।

 

 

ଦାସୀ, ଯାହାକୁ ଲକ୍ଷେ ରାଜା ଦିବାନିଶି ବିବାହ କରିବା ନିମିତ୍ତ ଭାବି ହେଉଛନ୍ତି, ସେ ଛାର ମୁର୍ଦ୍ଦାରଟାକୁ ଆଣି ଗୃହରେ ସ୍ୱାମୀରୂପେ ବରଣ କରିଛି-। ଯା ରାକ୍ଷସୀ, ତୋର ମୁଖାବଲୋକନ କରିବି ନାହିଁ ।

ବିଳାସ

-

(ଗୀତ)

 

 

(ରାଧା ଧରି ସଖି କର - ବୃତ୍ତେ)

 

 

ଚରଣତଳୁ ପିଅର ଅଧୀନା ସତେ ହେବ ଅନ୍ତର

 

 

କି ପିଅର ହେ ।

 

 

ପିତଃ ! ଏ ଅଧୀନା ଆପଣଙ୍କ ଚରଣତଳୁ ଅନ୍ତର ହୋଇ ସତେ କଣ ବଞ୍ଚିପାରିବ ?

ରାଜା

-

ବଞ୍ଚିଲେ କେତେ, ମଲେ କେତେ ।

ବିଳାସ

-

(ଗୀତ)

 

 

କାନନେ ନେତ୍ରପଥରେ,

 

 

ଦେଖି ମୁଁ ବରିଲି ମୋ ମାନସରେ ।

 

 

କି ପିଅରେ ହେ ।

 

 

ମୃତ ଶବ ମୁଁ ନ ଜାଣି ତାରେ ।୨।

 

 

ପିତଃ ! ହରପୂଜି ଯିବା ସମୟରେ ଦୂରରୁ ୟାଙ୍କର ରୂପଲାବଣ୍ୟକୁ ଦେଖି ପତିତ୍ୱେ ବରଣ କଲି ।

ରାଜା

-

ମୃତ କି ଜୀବିତ କିଛି ନ ଦେଖି କିପରି ବରଣ କଲୁ ।

ବିଳାସ

-

(ଗୀତ)

 

 

ଅଷ୍ଟ ଅଳଙ୍କାର ଶୋଭା,

 

 

ରବି ଜିଣି ଛବି ପରାଏ ଆଭା ।

 

 

କି ପିଅର ହେ ।

 

 

ଦୂରୁ ଦେଖି କାଲି ମନଲୋଭା ।୩।

 

 

ପିତଃ ! ଦୂରରୁ ଦେଖି ତାର ଶୋଭାରେ ବିମୁଗ୍‌ଧ ହୋଇ ପତିତ୍ୱରେ ବରଣ କଲି, ନିକଟକୁ ଯାଇ ଦେଖନ୍ତେ ମୃତ ।

ରାଜା

-

ଆଚ୍ଛା, ମୃତ ଦେଖି ପୁନରାୟ ତାର ଅଙ୍ଗ ସ୍ପର୍ଶ କଲୁ କାହିଁକି ?

ବିଳାସ

-

(ଗୀତ)

 

 

ଚୁମ୍ୱକେ ଯେସନେ ଲୁହା

 

 

ତେସନେ ରମଣୀ ପୁରୁଷମାୟା ।

 

 

କି ପିଅର ହେ ।

 

 

ଜାଣିଶୁଣି ଦଣ୍ଡୁଅଛ ଏହା ।୪।

 

 

ପିତଃ ! ଏ ପୁରୁଷ ବ୍ୟତୀତ ଅନ୍ୟ କେଉଁଥିରେ ମୋର ଇଚ୍ଛା ନାହିଁ ।

ରାଜା

-

ଯା ରାକ୍ଷସୀ - ମୁଁ ତୋର କଥା ଶୁଣିବାକୁ ଚାହେଁନା ।

ବିଳାସ

-

(ଗୀତ)

 

 

ମୃତ ହେଉ ବା ଜୀବିତ,

 

 

ଯେବେ ମୁଁ ବରିଛି ସେ ମୋର କାନ୍ତ ।

 

 

କି ପିଅର ହେ ।

 

 

ବାଳି ନ ଟାଳିବ ଦୃଢ଼ ବ୍ରତ ।୫।

 

 

ପିତଃ ! ମୋ ଭାଗ୍ୟକୁ ଯାହା ହେଉ ମୁଁ ସତ୍ୟଭ୍ରଷ୍ଟା ହେବି ନାହିଁ । ଭବିଷ୍ୟତ୍‌ ଦଶା ପଛେ ମୋର ଯା ହେବ, ଏଇ ମୋର ପତି ।

Image

 

ତୃତୀୟ ଅଙ୍କ

ପ୍ରଥମ ଦୃଶ୍ୟ

(ବନପଥ)

 

ବିଳାସ

-

(ସର୍ଦ୍ଦାର ଘେନି ଗୀତ)

 

 

(ରାଗ - ଜୟନ୍ତୀ । କଳା କାଇଁଚ ବାଣୀ)

 

 

ଆହାରେ ମନ୍ଦ ବିଧାତା ଏ କି ଛନ୍ଦ କଲୁ ।

 

 

ଅଭାଗିନୀ କୋଳେ ଆଣି ମୃତ ବର ଦେଲୁ

 

 

ବିଧାତା ! କି ଯଶ ପାଇଲୁ ।୧।

 

 

ହାରେ ବିଧାତା ! ଏ ଅଭାଗିନୀକୁ ଏତେ ହଟହଟା କରିବାକୁ ତୋ ମନରେ ଥିଲା-? ଆଉ କୁଆଡ଼େ ଯିବି ? ପଥ ଦେଖାଯାଉ ନାହିଁ ।

 

 

(ଗୀତ)

 

 

କୋଟି ସହଚରୀ ଯାକୁ ଖଟିଥାନ୍ତି ନିତି

 

 

ସେ କିମ୍ପା ବିଜନ ବନେ ହୋଇଲା ଅନାଥୀ ।

 

 

ବିଧାତା ! କାହା ରୂପ ଚିନ୍ତି ।୨।

 

 

ରାଜପୁରେ ଯାହାର ପାଦତଳେ କୋଟି କୋଟି ଦାସଦାସୀ ଖଞ୍ଜା, ସେ ପୁଣି ଏ ବିଜନ କାନନରେ ଆଜି ଏ ଦଶା ଭୋଗ କରୁଛି । ଆଉ କଣ କରିବି ।

 

 

(ଗୀତ)

 

 

ମୃଗତୃଷ୍ଣା ଦେଖି ଭ୍ରମେ ମରିଲି ପିପାସେ ।

 

 

ଭାଗୀରଥୀ ଗର୍ଭ ନିଶ୍ଚେ ପାଇବି ସନ୍ତୋଷେ

 

 

ଏ ରସେ । ବାଳାମଣି ଭାଷେ ।୩।

 

 

କହୁ କହୁ ତ ସନ୍ଧ୍ୟା ହେଲା, ସୂର୍ଯ୍ୟଦେବ ଅସ୍ତଗିରି ଚୂଡ଼ା ଚୁମ୍ୱିଲେଣି । କ୍ରମେ ଚାରିଆଡ଼େ ଅନ୍ଧକାର ଘୋଟି ଆସିଲାଣି । ହା ଦଇବ ! ଏଇଆ ଏ ଅଭାଗିନୀ କର୍ମରେ ଲେଖିଥିଲୁ ? ପିତା ତ ଗୃହରୁ ଅନ୍ତର କରିଦେଲେ, ଏବେ ଏ ଘୋର ଜଙ୍ଗଲରେ କଣ କରିବି ? ହେଇ, ଶିବାଗଣ ମୁଖ ବିକୃତ କରି ମୋ ପଛରେ ଧାଉଁଛନ୍ତି । ଜଣ କରିବି । ମରୀଚିକାକୁ ଜଳ ମନେକରି ପିଇବାକୁ ଯାଇଥିଲି । କିନ୍ତୁ ଜଳ ନୁହେଁ, ସେ ମାୟା । ହେ ଉମାବଲ୍ଲଭ ପାର୍ବତୀପତି ! ଆପଣଙ୍କୁ ସେବା କରିଥିଲି; ମାତ୍ର ପ୍ରତିଫଳ କଣ ଏହି ? ହୃଦୟରେ ଅନେକ ଆଶା ପୋଷଣ କରିଥିଲି; ମାତ୍ର ଏ ପୋଡ଼ା ହୃଦୟରେ ସେ ଦାରୁଣ ପିପାସା ମେଣ୍ଟିଲା ନାହିଁ । ମା’ ହରତୋଷଣି ଶଙ୍କରପ୍ରାଣବଲ୍ଲଭି ! ମା’ ଗଙ୍ଗେ ତ୍ରିପଥଗାମିନୀ ! ତୋର ଗର୍ଭରେ ଏ ଦାରୁଣ ପିପାସା ମେଣ୍ଟାଇବି ମା’ । ଏ ହତଭାଗିନୀକୁ ଅନନ୍ତ କୋଳରେ ଆଶ୍ରୟ ଦେ ? (ଅମରକୁ ଗଙ୍ଗାକୁ ଫିଙ୍ଗିଦେଇ ନିଜେ ଝାସ ଦେବାକୁ ଉଦ୍ୟତ, ଗଙ୍ଗାଦେବୀଙ୍କ ଆବିର୍ଭାବ)

ଗଙ୍ଗା

-

କ୍ଷାନ୍ତ ହୁଅ ସତୀ ! ଜାଣିଲିଣି ଦୃଢ଼ ବ୍ରତ ତୋର । କିବା ଅଭିଳାଷ ଏକ୍ଷଣି । ମୁହିଁ ଗଙ୍ଗା ଦେବୀ; ଧୈର୍ଯ୍ୟ ନ ପାରୁଛି ଧରି ତୋହର ବିଷୟେ । ଭାଗ୍ୟବତୀ ! କି ଦୁଃଖ-?

ବିଳାସ

-

ମା ? ନୁହେଁ ମୁହିଁ ଭାଗ୍ୟବତୀ, ଅଭାଗିନୀ ନାରୀ ।

ଗଙ୍ଗା

-

ବତ୍ସେ, କି ଦୁଃଖ ତୋହର ? ପ୍ରକାଶ ନିର୍ଭର ଅନ୍ତରେ ।

ବିଳାସ

-

ଗୀତ (କି ଦେଇ ସଜାଇବୁ ବୃତ୍ତେ)

 

 

କି ଦୁଃଖ କହିବି ମା ଅଟେ ମୁହିଁ ବଡ଼ ଅଭାଗିନୀ ।

 

 

ତୁ ମା ଭାଗୀରଥୀ ଘେନ ମୋ ଆରତୀ

 

 

ପତି ଲାଗି ମୁଁ ତ ପାଗଳିନୀ ।ଘୋଷା।

 

 

ମା । ମୋର ପତିର ଦୁର୍ଦ୍ଦଶାରେ ମୋର ଏ ଦଶା ।

 

 

(ଗୀତ)

 

 

ହର ପୂଜି ଯାଉଛି, ଦିନେ

 

 

ଏ ବର ଭେଟିଲି ଏ ସ୍ଥାନେ ।

 

 

ହର ସାକ୍ଷ ଦେଇ ପାଶେ ଦେଖେ ଯାଇ

 

 

ପ୍ରାଣ ତାଙ୍କ ନାହିଁ ଗୋ ଜନନୀ ।୫।

 

 

ଜଙ୍ଗଲକୁ ହରସେବା କରିବାକୁ ଯାଇଥିଲି । ଏ ବରଙ୍କୁ ଦୂରରୁ ଦେଖି ୟାଙ୍କର ରୂପଲାବଣ୍ୟରେ ମୁଗ୍‌ଧ ହୋଇ ପତିତ୍ୱରେ ବରଣ କଲି । ନିକଟରେ ଦେଖେତ ମୃତ । କଣ କରିବି ମୋର ପିତାଙ୍କ ନିକଟେ ନେଇ କରି ଗଲି ।

ଗଙ୍ଗା

-

ତହୁଁ କଣ ହେଲା ?

ବିଳାସ

-

(ଗୀତ)

 

 

ପିତା ମୋର ଦେଖି ଏ ଭାବ

 

 

ତାଙ୍କ କୋଳୁ କଲେ ଅଭାବ,

 

 

ଘେନି ମୃତ ଶବ ପଶୁଛି ତୋ ଗର୍ଭ

 

 

ଆଶ୍ରା ଦେବୁ ଜଗତଜନନୀ ।୧।

 

 

ପିତା ମୁର୍ଦ୍ଦାର ଦେଖି ମୋତେ ରାଜ୍ୟରୁ ବାହାର କରିଦେଲେ ।

ଗଙ୍ଗା

-

ପୁଣ୍ୟବତି ! ଅବିଳମ୍ୱେ ଭେଟିବୁ ତୋ ପତି ।

 

 

ଗୀତ (ହାଇରେ ଦାରୁଣ ବିହି - ବୃତ୍ତେ)

 

 

ପରିହରି ଦୁଃଖ ଦେଖ ଏହି ତୋର କଣ୍ଠମଣି ।

 

 

ତୋ ସତୀତ୍ୱବଳେ କୋଳେ ତୋତେ ସମର୍ପିଲି ଆଣି ॥

 

 

ପୁଣ୍ୟବତି ! ତୋର ସତୀତ୍ୱରେ ସନ୍ତୁଷ୍ଟ ହୋଇ ତୋର ପତିଙ୍କି ତୋତେ ଅର୍ପଣ କଲି, ନେ ।

 

 

(ଗୀତ)

 

 

ସୁଖେ ବିହର ଏ ବନେ ଖଟି ତୋ ସ୍ୱାମୀ ଚରଣେ

 

 

ଭୋଗିବୁ ଐଶ୍ୱର୍ଯ୍ୟ ଦିନେ ଆସୁଛି ଶୈଳନନ୍ଦିନୀ ।

 

 

ଯା ମା ! ତୋର ପତିକୁ ଘେନି ଏ କାନନରେ ମନସୁଖେ ଭ୍ରମଣ କର । ତୋତେ ଯେତେବେଳେ ବିପଦ ପଡ଼ିବ, ତୁ ମୋତେ ସ୍ମରଣ କରିବୁ ।

 

 

(ଗୀତ)

 

 

ଦଇବ ବିପକ୍ଷ କାଳେ ପ୍ରମାଦ ପଡ଼ଇ ହେଳେ

 

 

ସହିବୁ ତାହା ନିଶ୍ଚଳେ ଦୀନ ବାଳକୃଷ୍ଣ ଭଣି ।

 

 

(ଗଙ୍ଗା ଦେବୀଙ୍କ ତିରୋଭାବ)

ଅମର

-

(ସ୍ୱଗତ) ମା, ମା, ଏହିକି ଉଚିତ ଅଧମ ସନ୍ତାନେ, ନ ନେଇ ତୋ କୋଳେ ସଲ୍ଲୀଳେ ଲୁଚିଯାଉଛ କିମ୍ପାଇଁ । କି ଆଶ୍ଚର୍ଯ୍ୟ, ମୁଁ କାହିଁ ଥିଲି, କିଏ ଆଣି କଲା ଏ ହୁନ୍ଦର । ମୁଁ ସୁପ୍ତ ନା ଜାଗ୍ରତ ? ମନେ ହୁଏ ସ୍ୱପ୍ନକଥାପରି । (ବିଳାସକୁ ଚାହିଁ ପ୍ରକାଶ୍ୟେ) ଏ କିଏ ! ଦେବୀ ନା, ଏ ରୂପ ତ ନୁହେଁ, ଏ ତ ଘୋର ଜଙ୍ଗଲ । ଏଠାରେ ମନୁଷ୍ୟର ପଦଚିହ୍ନ ମାତ୍ର ପରିଲକ୍ଷିତ ହେଉ ନାହିଁ । ହେଇ, କ୍ଷଣେ କ୍ଷଣେ ସେହି ଶୁଭିଯାଏ ହିଂସ୍ର ଜନ୍ତୁମାନଙ୍କ ଚିତ୍କାର । ତେବେ କିଏ ଏହି, ପଚାରିବି ଥରେ-

 

 

ଗୀତ (ହେ ନୃପସୁତ - ବୃତ୍ତେ)

 

 

ରେ ନବ ତରୁଣୀ କାହାର ରମଣୀ

 

 

ନାହା କେ ତୋହର ସାହା ଅଛିକି ନୀରକ୍ଷ ପ୍ରାଣୀ ।ପଦ।

 

 

ସୁନ୍ଦରୀ ! ତୁମ୍ଭେ କିଏ; ଏ ଘୋର ଅରଣ୍ୟ ମଧ୍ୟରେ ଏକାକିନୀ ହୋଇ ଠିଆହେବାର ଅଭିପ୍ରାୟ କଣ ?

 

 

(ଗୀତ)

 

 

ଦେବୀ କି ମାନବୀ ତୁ ତ, ଜାଣି ନପାରେ ବୃତ୍ତାନ୍ତ,

 

 

ସୁଦୟା ବହି କିଞ୍ଚିତ ପ୍ରକାଶ କର ରମଣୀ ।୧।

 

 

ସୁନ୍ଦରୀ ! ତୁମ୍ଭେ ଦେବୀ ନା ମାନବୀ ? ମୁଁ ତ କିଛି ବୁଝିପାରୁନାହିଁ । ତୁମ୍ଭ ରୂପ ମନ୍ମଥ ବାମାକୁ ଜିଣି ଶୋଭା ପାଉଅଛି । କୁହ, ତୁମ୍ଭେ କାହାର ମନୋହାରିଣୀ ।

 

 

.

 

 

 

(ଗୀତ)

ଅମର ବିଳାସ

 

 

କାହାର ବାମା କି ଉମା, ଜଣାଅରେ ମନୋରମା,

 

 

ନୀରବେ ରହିଛୁ କିନା, ଶୁଣାଅ ତୋ ବୀଣାବାଣୀ ।

 

 

ସୁନ୍ଦରୀ ! ତୁମ୍ଭେ କାହାର ସ୍ତ୍ରୀ କିମ୍ୱା କାହାର ବୋହୂ ? କେଉଁ ଦେବୀ କପଟରେ ଏପରି ମୂର୍ତ୍ତି ଧାରଣ କରିଛ । (ସ୍ୱଗତ) ମୁଁ ତ ଚାଲିଚରଣରୁ ଅନୁମାନ କରୁଛି କେହି ରାଜକନ୍ୟା ହେବ ପରା ।)

 

 

(ଗୀତ)

 

 

ଶିରୀଷଅଙ୍ଗି ନିରାଶ ନ କର ମୋ ରାଣ ଭାଷ

 

 

ପରାଣ କର ମୋ ତୋଷ ବାଳକୃଷ୍ଣ ରସେ ଭଣି ।୩।

 

 

ସୁନ୍ଦରୀ ! ମୋତେ ପରିଚୟ ଦିଅ । ମୋ ମନରେ ସନ୍ଦେହ ହେଉଛି । କାରଣ ଏ ଘୋର ଜଙ୍ଗଲ; ତହିଁରେ ପୁଣି ତୁମ୍ଭେ ସ୍ତ୍ରୀଲୋକ ଏକୁଟିଆ ।

ବିଳାସ

-

ମୁଁ ଏକାକିନୀ ନୁହେଁ । ମୋ ନିକଟରେ ଅଛନ୍ତି ମୋ ହୃଦୟେଶ୍ୱର, ମୋ ଆରାଧ୍ୟ ଦେବତା, ମୋ ଆଗରେ ଠିଆ ହୋଇଛନ୍ତି ।

ଅମର

-

କାହିଁ ତୁମ୍ଭ ଆଗରେ ତ କେହି ନାହାନ୍ତି ?

ବିଳାସ

-

(ଗୀତ)

 

 

(ଯମୁନା ଯିବୁ ନାହିଁ ରାଧେ - ବୃତ୍ତେ)

 

 

ଆଉ କାହିଁକି ହରବର ନାଗର ତୁମ୍ଭେ ଗଳାହାର ।

 

 

ପାଶେ ଦେଲେ ଆଶ୍ରା କହିବି ଦୁର୍ଦ୍ଦଶା

 

 

କ୍ଷାସ ନ ମଣିବ ଗିର ।ପଦ।

 

 

ନାଥ ! ଅଧୀନାକୁ ଆପଣ ଶ୍ରୀଚରଣରେ ଆଶ୍ରୟ ଦେଲେ ମୁଁ ମୋର ସମସ୍ତ ଦୁଃଖ ପ୍ରକାଶ କରିବି ।

ଅମର

-

ତୁମ୍ଭ ପରି କନକପ୍ରତିମା ଏ ଅଭାଗା କର୍ମରେ କେବଳ ବାମନ ଚନ୍ଦ୍ର ଧରିବା ନ୍ୟାୟ-। ତେବେ କହ, ତୁମ୍ଭେ କାହାର କନ୍ୟା ?

ବିଳାସ

-

(ଗୀତ)

 

 

ସୁରାଟ କନ୍ୟା ମୁଁ ବିଳାସ କୁମାରୀ,

 

 

ଯାଇଥିଲି ବନେ ପୂଜି ହର ଗୌରୀ

 

 

ସେ ବନପ୍ରାନ୍ତରେ ଭେଟିଲି

 

 

ତୁମ୍ଭ ପ୍ରେମେ ହୋଇଲି ଅଧୀର ।୧।

 

 

ନାଥ ! ମୁଁ ଜୟପୁରାଧିପତି ସୁରାଟ ସିଂହଙ୍କ କନ୍ୟା, ମୋ ନାମ ବିଳାସକୁମାରୀ । ମୁଁ ପ୍ରତିଦିନ ହରସେବା କରିବାକୁ ଯାଏ । ଦିନକରେ ଯାଉଛି, ଆପଣଙ୍କୁ ସେ ଜଙ୍ଗଲରେ ଭେଟିଲି ।

ଅମର

-

ମୁଁ ସେଠାରେ କଣ କରୁଥିଲି ?

ବିଳାସ

-

(ଗୀତ)

 

 

ଧ୍ୟାନେ ଚିନ୍ତି ଗୌରୀପତିରେ ବରି,

 

 

ପାଶେ ଯାନ୍ତେ ନାଶ ଦେଖିଲି ତୁମ୍ଭରି,

 

 

କର୍ମକୁ ସୁମରି ନେଲି ନିଜ ପୁରୀ

 

 

ରାଜ୍ୟୁ ପିତା କଲେ ଦୂର ।୨।

 

 

ମୁଁ ଆପଣଙ୍କ ଶୋଭା-ସୌନ୍ଦର୍ଯ୍ୟରେ ବିମୁଗ୍‌ଧା ହୋଇ ହରପ୍ରିୟାଙ୍କୁ ସାକ୍ଷ ଦେଇ ପତିତ୍ୱରେ ବରଣ କରି ଯାଇ ନିକଟରେ ଦେଖେତ ମୃତ । କଣ କରିବି ମୋର ଭାଗ୍ୟକୁ ସୁମରି ସତୀତ୍ୱ ରଖିବା ସକାଶେ ଗୃହକୁ ନେଇ ଗଲି । ପିତା ମୋର ଏ ଭାବ ଦେଖି ମୋତେ ଗୃହରୁ ଅନ୍ତର କରିଦେଲେ ।

ଅମର

-

ତେବେ ବଞ୍ଚିଲି କିପରି ?

ବିଳାସ

-

(ଗୀତ)

 

 

ଦୁଃଖାନଳେ ଜଳିଉଠିଲା ପରାଣ,

 

 

କରୁଥିଲି ଜଳେ ଆତ୍ମ ସମର୍ପଣ,

 

 

କିବା ଭାଗ୍ୟବଳେ ଭାଗୀରଥୀବଳେ

 

 

କଲେ ଏଡ଼େ ସୁବିଚାର ।୩।

 

 

ନାଥ ! ତୁମ୍ଭଙ୍କୁ ଗଙ୍ଗାକୁ ଫିଙ୍ଗିଦେଇ ମୁଁ ଝାସ ଦେଉଥିବା ସମୟରେ ଭାଗୀରଥୀ ତୁମ୍ଭଙ୍କୁ ବଞ୍ଚାଇଲେ ।

ଅମର

-

ସଖି ! ଏ ହତଭାଗା ଲାଗି ଏତେ କଷ୍ଟ କଲଣି ।

ବିଳାସ

-

ନା ନାଥ ! ତୁମକୁ ପାଇଲାବେଳୁ ମୋର ସମସ୍ତ କଷ୍ଟ ଦୂର ହୋଇଗଲାଣି । ଗୋଟିଏ ନିବେଦନ ଘେନା କର ।

ଅମର

-

କି ନିବେଦନ ?

ବିଳାସ

-

(ଗୀତ)

 

 

ବାସେ ଆସ ଦଶା ଫେରିଲା ଆମ୍ଭର,

 

 

ମୋ ରାଜ୍ୟରେ ନିଶ୍ଚେ ହେବ ରାଜ୍ୟେଶ୍ୱର,

 

 

ବାଳକୃଷ୍ଣ ବୋଲେ ବିଧି ବାମହେଲେ

 

 

ପଡ଼େ ସଙ୍କଟ ଅପାର ।୪।

 

 

ନାଥ ! ମୋର ପିତାଙ୍କର ମୁଁ ଏକମାତ୍ର କନ୍ୟା; ଆଉ ମୋର କେହି ଭ୍ରାତ ନାହାନ୍ତି, ଆପଣ ଚାଲନ୍ତୁ ମୋ ପିତାଙ୍କ ରାଜ୍ୟରେ ରାଜା ହେବେ ।

ଅମର

-

ପ୍ରିୟେ । ତୁମ୍ଭକଥା ମାନେ ଶତବାର, କିନ୍ତୁ ସେ ବିପଦେ ନ ପକାଅ ମୋତେ ।

ବିଳାସ

-

କି ବିପଦ ନାଥ ।

ଅମର

-

(ଗୀତ)

 

 

(ଜୀବଗଲେ ଯାଉ ଜବାଧରି - ବୃତ୍ତେ)

 

 

ପ୍ରାଣବାନ୍ଧବୀ ସେ ସମ୍ପଦ ଲାଗି

 

 

ଯାହା ଭୋଗୁଛି ମନୁ ଯିବ କିରେ ।

 

 

ଧନେ ବଢ଼ିବ ମାନ ଧନେ ହରିବ ଜ୍ଞାନ,

 

 

ସେ ଧନ ଏ ଜୀବନ ନେବଟିରେ ।ଘୋଷା।

 

 

ପ୍ରେୟସୀ ! ଛାର ସେହି ସମ୍ପଦ ଲାଗି ଯାହା କି ଭୋଗ କରିଛି, ତାହା ଏ ଜୀବ ଗଲେ ବା ମନରୁ ଯିବ ।

ବିଳାସ

-

କଣ ନାଥ, ସମ୍ପଦ ଲାଗି କି କଷ୍ଟ ଭୋଗ କଲ ?

ଅମର

-

(ଗୀତ)

 

 

ଧନ ଲାଗି ସହୋଦର, ଛୁରିକା ଦେଲେ ଗଳାର,

 

 

ଆଉ କି ଧନ ମୋର ହେବଟିରେ

 

 

ଦୀନ ଦରିଦ୍ର ହେଲେ ବିପଦ ନାହିଁ କାଳେ,

 

 

ଅନ୍ତେ ମିଳିବ କୃଷ୍ଣସେବାଟିରେ ।୨।

 

 

ପ୍ରିୟେ ! ଆମ୍ଭ ପିତାଙ୍କର ଆମ୍ଭେ ତିନିପୁତ୍ର, ପିତା ସତ୍ୟ କଲେ, ଆମ୍ଭ ତିନିଜଣଙ୍କ ମଧ୍ୟରେ ଯେ କି ଉପଯୁକ୍ତ ହେବ ତାକୁ ରାଜଗାଦିରେ ବସାଇ ସେ ସନ୍ନ୍ୟାସୀ ହୋଇଯିବେ । ସଖି ! ମୁଁ କନିଷ୍ଠପୁତ୍ର; କିନ୍ତୁ ଈଶ୍ୱରଙ୍କ କୃପାରୁ ଅନେକ ଗୁଡ଼ିଏ ବିଦ୍ୟା ପଢ଼ିଥିଲି । ଅନ୍ୟ ଦୁଇଭାଇ ଭାବିଲେ କାଳେ ଅମର ରାଜଗାଦିରେ ବସିବ ସେ ହେତୁ ବିଦ୍ୟାଗୁରୁଙ୍କ ପରାମର୍ଶରେ ମୋତେ ଜଙ୍ଗଲରେ ମାରି ପକାଇଲେ ।

ବିଳାସ

-

ତୁମର ଭାଇ ତୁମ୍ଭଙ୍କୁ ମାରିଦେଲେ ?

ଅମର

-

(ଗୀତ)

 

 

ରଙ୍କରତନ ଧନ ଧନେ ଯେବେ ତୋ ମନ

 

 

ଦିନେ ସେ ଦୀନବନ୍ଧୁ ଦେବେଟିରେ ।

 

 

ନ କର ବାଳି ଖେଦ ସମ୍ପଦଟି ଆପଦ

 

 

ଯୋଗ୍ୟ ହେଲେ ଭାଗ୍ୟରେ ଥିବଟିରେ ।

 

 

ସଖି ! ତୁମ୍ଭର ଯେବେ ଧନରେ ଆଶା ତେବେ ଦିନେ ସେ ଦୀନବନ୍ଧୁ ଦେବେ, ସେଥିପାଇଁ ଭାବନା କରିବା ଆବଶ୍ୟକ କଣ । ଯଦି ଏ ହତଭାଗା ସଙ୍ଗରେ ବୁଲିବାକୁ କଷ୍ଟ ମନେକର ତେବେ ଚାଲ ତୁମ୍ଭଙ୍କୁ ତୁମ୍ଭ ପିତାଙ୍କ ନିକଟରେ ଛାଡ଼ି ଆସିବି ।

ବିଳାସ

-

ନାଥ ! ନାରୀର ଶ୍ରେଷ୍ଠ ଉପାସ୍ୟ ଦେବତା ପତି । ପତି ବିନା ନାହିଁ କାହିଁ ଗତି । ମୋର ପତି ଯେଉଁଠି, ମୋର ରାଜ୍ୟ ସେଇଠି ।

ଅମର

-

ସଖି ! ତୁମ୍ଭଙ୍କୁ କ୍ଷୁଧା ହେବଣି, ଏଠାରେ ଟିକିଏ ବସ । ମୁଁ କିଛି ଫଳମୂଳ ସଂଗ୍ରହ କରିଆଣେ ଭୋଜନ କରିବ ।

ବିଳାସ

-

ହେଉ ନାଥ ଆସନ୍ତୁ । (ଅମର ପ୍ରସ୍ଥାନ)

 

 

(ବାହାନ, ତୋଫାନ ଗଙ୍ଗାରେ ବୋଇତ ଘେନି ଯାଉଥିବା ସମୟେ ଉପକୂଳବର୍ତ୍ତୀ ଜଙ୍ଗଲରେ ବିଳାସକୁ ଦେଖିବା)

ବାହାନ

-

ମାଝି ! ଦେଖିଲୁ ଏ ଘୋର ଜଙ୍ଗଲରେ ଏ ସୁନ୍ଦରୀ କନ୍ୟା କିଏ ବସିଛି ?

ମାଝି

-

ମହାରାଜ ! କିଏ ନାଇଁ କିଏ ବସିଥିବ, ଆମର ସେଥିରେ କଣ ଅଛି ।

ବାହାନ

-

ମାଝି ! ତୋଫାନ ବୋଇତରେ ଥାଉ, ଚାଲ ଆମ୍ଭେ ତା ନିକଟକୁ ଯିବା (ତଥାକରଣ) ମାଝି ! ଏ ଆଖପାଖରେ ତ କେହି ଦେଖାଯାଉ ନାହାନ୍ତି, ସ୍ତ୍ରୀଟି କଣ ଅନାଥିନୀ ?

ମାଝି

-

ମହାରାଜ ! କିଏ କେଉଁଠି ଥିବ ଆପଣ ତା ନିକଟକୁ ଯାଆନ୍ତୁ ନାହିଁ ।

ବାହାନ

-

ଆରେ ପାଗଳ, ଆମ୍ଭର କିଏ କଣ କରିବ, ଚାଲ ତା ନିକଟକୁ, କିଛି ପଚାରିବା ।

ମାଝି

-

ସାଆନ୍ତେ, ସେ ଗୋଟାଏ ବଣର ଦେବୀ ହେବ ପରା । ମୁଁ ତ କେବେ ଯିବି ନାହିଁ । ଯେବେ ଭାଗ୍ୟ ଅବଳରୁ ଭେଟଣାରେ ପଡ଼ିଯାଏ ତ ଏକବାର ଦଫା ଶେଷ ।

ବାହାନ

-

ମାଝି ! ଭୟ କରନା, ମୋ ପଛରେ ଆ । (ବିଳାସ ପ୍ରତି) ହେ ସୁନ୍ଦରୀ, ତୁମ୍ଭେ ଏ କାନନ ମଧ୍ୟରେ ଏକାକିନୀ ହୋଇ ବସିବାର ଅଭିପ୍ରାୟ କଣ ?

ବିଳାସ

-

ନିରୁତ୍ତର ।

ବାହାନ

-

(ଗୀତ)

 

 

(ଗୁମାନେ ବସନା - ବୃତ୍ତେ)

 

 

କହରେ ଛଇଳି କାହାର ଦୁଲାଳୀ

 

 

ମୋହୁ ଯତିମତି ଭାଗ୍ୟବତୀ

 

 

ବନେ କିମ୍ପା ଏକା ବସିଛୁ ନାୟିକା’

 

 

ଶଙ୍କାନାହିଁ ତୋତେ ବାଙ୍କନେତ୍ରୀ ।ଘୋଷା।

 

 

ସୁନ୍ଦରୀ ! ତୁ କାହାର ବୋହୂ, କାହାର କନ୍ୟା । ଏ ଜଙ୍ଗଲରେ କାହିଁକି ବସିଛୁ ?

 

 

(ଗୀତ)

 

 

ଆସରେ ନବୀନା ନ ହୁଅ ବିମନା

 

 

କରୁଛୁ ଭାବନା କାହାପ୍ରତି

 

 

ନ କରି କପଟ କହ ତୁରେ ଝଟ

 

 

ଉଚ୍ଚାଟ ହେଉଛି ଆମ୍ଭ ମତି ।୧।

 

 

ସୁନ୍ଦରୀ ! ତୁ କାହାକୁ ଚିନ୍ତା କରି ଏ ଘୋର ଜଙ୍ଗଲରେ ବସିଛୁ ? ତୋର ଦୁର୍ଦ୍ଦଶା ଦେଖି ତୋତେ ଛାଡ଼ିବାକୁ ଆମ୍ଭର ଇଚ୍ଛା ହେଉ ନାହିଁ । ଆମ୍ଭ ସଙ୍ଗରେ ଯିବ ଚାଲ ।

ବାହାନ

-

(ମାଝିପ୍ରତି) କିରେ ମାଝି ! ପଦେ ତ ହେଲେ ଜବାବ ମିଳୁନାହିଁ, ବୋଧହୁଏ ଲଜ୍ଜା କରୁଛି । ସେଟା ସ୍ତ୍ରୀମାନଙ୍କର ସ୍ୱଭାବ, ତୁ ଟିକିଏ ବୁଝାଇଲୁ ?

ମାଝି

-

ନାହିଁ ସାଆନ୍ତେ, ତା ହେବ ନାହିଁ । ଜାଣୁ ଜାଣୁ ହାଣ - କୁରାଢ଼ୀ ବେକକୁ ଆଣିବି, ତା କେବେ ହେବ ନାହିଁ ।

ବାହାନ

-

ମାଝି ! ସେ ଦେବୀ ନୁହେଁ, ମାନବୀ ।

ମାଝି

-

ଜାଣିଲେ କିପରି ?

ବାହାନ

-

ଦେବତାମାନଙ୍କର ଛାୟା ନ ଥାଏ, ପୁଣି ମୁଁ କଥା କହିଲା ବେଳକୁ ଅଧୋବଦନା ହେଲା ପରା ।

ମାଝି

-

(ହେଣ୍ଡିମାରି) ତେବେ ମୁଁ ଗୋଟିଏ ଆମଜାତିୟା ଘୋଡ଼ା ଗୀତ ବୋଲି ମନାଇ ଦେବି ଯେ ।

ବାହାନ

-

ମାଝି, ହେଉ ଯା ।

ମାଝି

-

ହେଇଁ ହେ ! ଆମ୍ଭ ଯୁବରାଜ ଓଳିଏ ହେଲା ପରା ତୁମ୍ଭଠାରୁ ପଦେ ଅଧେ ବଚନ ଶୁଣିବେ ବୋଲି ଠିଆ ହୋଇଛନ୍ତି, ତୁମ୍ଭେ କିଛି କହୁନାହଁ ।

 

 

ଘୋଡ଼ା – ଗୀତ

 

 

ପାଚିଲା ଆମ୍ୱ କୋଇଲି (ରାଜଜେମା)

 

 

ଆମ୍ଭ ରାଜାଙ୍କୁ ତୁ ହୋଇଲେ ବିଭା

 

 

ଖଟିବେ ଲକ୍ଷେ ପୋଇଲି ।

 

 

ଦେଈ ! ଆମ୍ଭ ରାଜାଙ୍କ ସଙ୍ଗରେ ଚାଲ, ତୁମ୍ଭର କଣ ମାନହାନି ହୋଇଯାଉଛି ।

ବାହାନ

-

ମାଝି ! କଣ ଉତ୍ତର ମିଳିଲା ?

ମାଝି

-

ଆପଣ ଏପରି ଉଚ୍ଛନ୍ନ ହେଲେ ହେବ ? ଆପଣ ଏ ବକୁଳ ମୂଳରେ ବସି ଗୋଟିଏ ବଉଳ ଫୁଲରେ ହାର ଗୁନ୍ଥୁଥାନ୍ତୁ । ମୁଁ ଶାଠ ଗୀତରେ ବୁଝାଇ ଦେବି ଯେ ।

ମାଝି

-

(ଗୀତ)

 

 

ରାଜଜେମା, ମୋତେ ସୁଦୟା କର ।

 

 

ଆମ୍ଭ କୁମାରଙ୍କୁ ପତିରେ ବର ।

 

 

ହୋଇଲେ ତାଙ୍କର ପାଟମହିଷୀ

 

 

ପାଖରେ ଖଟିବେ ବହୁତ ଦାସୀ

 

 

ସେ ଗଜ ଦନ୍ତ ପଲଙ୍କରେ ।

 

 

ନ ବସି କାହିଁକି ଏ ଘୋର ଜଙ୍ଗଲରେ (ରାଜଜେମା)

 

 

ବସି କାନ୍ଦୁଛ ଏଠାରେ ।

 

 

ଦେଈ ! ତୁମ୍ଭର ଏ ଯୌବନଟାକୁ ଜଙ୍ଗଲରେ ବୁଲି ବୁଲି ବୃଥାରେ ନଷ୍ଟ କରୁଛ କାହିଁକି ? ଆସ, ଆମ୍ଭ ରାଜକୁମାରଙ୍କ ସଙ୍ଗରେ ଯିବ ।

ବିଳାସ

-

ଅତଥି ! ମୋର କାନ୍ତ ଅଛନ୍ତି, ସେ ଫଳମୂଳ ଆହରଣ ନିମିତ୍ତ ଯାଇଛନ୍ତି । ବର୍ତ୍ତମାନ ଥିବେ । ମୋ ସହିତ ଏତେ ଜଞ୍ଜାଳ କରିବା ଫଳ କ’ଣ ?

ମାଝି

-

(ଗୀତ)

 

 

ତୁମର ପତି କେଣେ ଗଲେଣି

 

 

ବ୍ୟାଘ୍ର ବା ସିଂହମୁଖେ ପଡ଼ିଲେଣି

 

 

ଧନେ ମାନେ ଜ୍ଞାନେ ଆମ୍ଭ ରାଜନ

 

 

ତୁମ୍ଭ ପତିଠାରୁ ସେ ବଳୀୟାନ ସେ

 

 

ଅଷ୍ଟ ଅଳଙ୍କାରେ ବେଶ

 

 

ହୋଇଥିବ ବାଳି ନୁହ ମନେ ଭାଳି (ରାଜଜେମା)

 

 

ଶଙ୍କା ତେଜି ନାବେ ବସ ।୨।

 

 

ଦେଈ ! ତମେ କ’ଣ ଭାବୁଛ । ତୁମ୍ଭର ସେ ପତି ଅଛନ୍ତି । ମହାରାଜ ! ସେ ଭଲରେ ଫଳିବେ ନାହିଁ ।

ବାହାନ

-

(ପିଛିଲା ଗୀତ)

 

 

ଧନେ ମାନେ ଆମ୍ଭେ ଯୋଗ୍ୟ ଅତି

 

 

ଆସ ନାଗରୀଶ ମୋ କୋଳରେ ବସ

 

 

ବାଳାମଣି ତୋର ହେବୁ ପତି ।୩।

 

 

ବରାନନେ ! ଆମ୍ଭେ ରାଜପୁତ୍ରକୁ ତୁମ୍ଭେ ରାଜକନ୍ୟା, କ୍ଷତି କ’ଣ, ଆସିବଟି ମାଝି ଧର ଶୀଘ୍ର ।

ବିଳାସ

-

(ଗୀତ)

 

 

(ରାଗ - ଶୋକ କାମୋଦୀ)

 

 

ହେ ନବଯୁବକ ଏ କେଉଁ ବିବେକ

 

 

ମୋ ଦୁଃଖକୁ ଘେନ ଦୟାବହି

 

 

ମୋ କାନ୍ତ ଏ ବନ- ପ୍ରାନ୍ତରେ ଅଛନ୍ତି

 

 

ଆସିବେ ମୁଁ ପଥ ଅଛି ଚାହିଁ ।

 

 

ଆହେ ଧର୍ମରାଜ;

 

 

କିମ୍ପାଇ କର ଅଧର୍ମ କାର୍ଯ୍ୟ ।୧।

 

 

ରାଜନ୍‌ ! ମୋର କାନ୍ତ ଅଛନ୍ତି, ସେ ଫଳ ପାଇଁ ଯାଇଛନ୍ତି, ବର୍ତ୍ତମାନ ଆସୁଥିବେ । ଆପଣ ବୃଥା ଜଞ୍ଜାଳ କରନ୍ତୁ ନାହିଁ ।

ବାହାନ

-

ସେ କଥା ଶୁଣା ଯିବ ନାହିଁ ମାଝି ! ଧର ଶୀଘ୍ର ।

ବିଳାସ

-

(ଗୀତ)

 

 

ହାଇରେ କପାଳ ନ ହେଲୁ ଦ୍ୱିଫାଳ

 

 

କଳଙ୍କ କଥାକୁ ଘଟାଇଲୁ ।

 

 

ନାହିଁ କେହି ଆଶ୍ରା ସହାୟ ଭରସା

 

 

ପତି-ଆଶା ମୋର ତୁଟାଇଲୁ ।

 

 

ଆହେ ଦୀନବନ୍ଧୁ !

 

 

ଦୁଃଖ ନ ଗଲା କାନ୍ଦୁ କାନ୍ଦୁ ।୧।

 

 

ହାଇରେ ମନ୍ଦ ବିଧାତା ! ସେ ଯେତେବେଳେ ମୋତେ ଆସି ଖୋଜିବେ ଏବଂ ମୋର ସନ୍ଧାନ ନ ପାଇବେ ତ ତେତେବେଳେ କେତେ ଅଧୈର୍ଯ୍ୟ ନ ହେବେ ? ସେ ସମୟରେ କିଏ ତାଙ୍କୁ ପ୍ରବୋଧ ଦେବ ।

ମାଝି

-

କିଏ ଖୋଜିବେ ହେ, ଆମ୍ଭ ରାଜାଙ୍କଠାରୁ କ’ଣ ଅଧିକ ବର ତୁମ୍ଭର ହେବ ? ଆସ ଆସ ।

ବିଳାସ

-

(ଗୀତ)

 

 

ଆହେ ବୃକ୍ଷଲତା ମୋର ଦୁଃଖକଥା

 

 

କହିବ ମୋ କାନ୍ତ ଆଗେ ଯାଇ,

 

 

ବଳେ ଧରି ନେଲେ ମୋତେ ଏ ପାମର,

 

 

କାଳେ ହେଲେ ଦେଖା ଦେବେ ଯାଇ ।

 

 

ବାଳାମଣି କହି,

 

 

ବିହି ଲେଖା କି ଆନ କରଇ ।୨।

 

 

ହେ ବୃକ୍ଷଲତା ‘‘ହେ ଅନଳ ଅନିଳ, ହେ ଗଗନ, ପର୍ବତ,” ତୁମ୍ଭେମାନେ ମୋର ସାକ୍ଷୀ, ମୋ ଗଳା- ରତ୍ନକୁ ପ୍ରବୋଧ ଦେବ, ଅଧୀନା ଯେବେ ପ୍ରାଣରେ ଥାଏ ତ ଦିନେ ହେଲେ ସେ ଚରଣତଳେ ସେବିକା ହେବ ।

ବାହାନ

-

ଧର ମାଝି ।

ବିଳାସ

-

କ୍ଷାନ୍ତହୁଅ ନରାଧମା କାପୁରୁଷ ଭୀରୁ ନ ଜାଣୁ କି ନାରୀର ମର୍ଯ୍ୟାଦା ? ଦିନେ ଏହି ସାମାନ୍ୟ ଅବଳାର ମାନହାନି ନିମିତ୍ତ ସ୍ୱର୍ଣ୍ଣମୟୀ ଲଙ୍କାପୁରୀ ହୋଇଲା ଧୂଳିଧୂସରିତ । ପୁଣି କୁରୁବଂଶର ନିଧନ । ତଥାପି ରେ ବର୍ବର, ପତଙ୍ଗ ହୋଇ କି ସାହସେ ଆସିଛୁ ଅଗ୍ନିରେ ଝାସ ଦେବାପାଇଁ । ପୁଣି ଶ୍ୱାନ ହୋଇ ହବିର୍ଭାଗେ ବଳାଇଛୁ ଆଶ ? ଛି, ଛି, କେ କହେ ତୁମ୍ଭଙ୍କୁ ରାଜପୁତ୍ର । କାପୁରୁଷ ଦିନେ ନିଶ୍ଚେ ଭୋଗିବ ୟା ଫଳ ।

 

 

(ବାହାନ ବଳାତ୍କାରପୂର୍ବକ ଧରି ଘେନିଯିବା)

Image

 

ଦ୍ୱିତୀୟ ଦୃଶ୍ୟ

(କାନନ)

(ଅମର ଫଳ ଘେନି ପ୍ରତ୍ୟାବର୍ତ୍ତ)

 

ଅମର

-

ପ୍ରେୟସୀ ! ଆସ, ଆସ, ଦେଖିଲ କି ସୁନ୍ଦର ଫଳ ଆଣି ଅଛି । କୁଆଡ଼େ ଅଛ, (ଇତସ୍ତତଃ ନିରୀକ୍ଷଣ କରି ନ ପାଇ) କାହିଁ ମୁଁ କାହାକୁ ଡାକୁଛି, ଏଇଠି ତ ପ୍ରିୟାକୁ ମୋର ବସାଇ ଦେଇ ଗଲି । କୁଆଡ଼େ ଗଲ ପ୍ରିୟେ ! ତୁମ୍ଭଙ୍କୁ ନ ଦେଖି ମୋତେ ସବୁ ଅନ୍ଧକାର ଦେଖା ଯାଉଛି । କ’ଣ କୁଆଡ଼େ ଚାଲିଗଲ ?

 

 

(ଗୀତ)

 

 

(କୀର୍ତ୍ତନସୁର)

 

 

ବନଜ - ନୟନା ବନେ ଲୁଚିଛୁ ତୁ କାହିଁରେ

 

 

ତୋ ବିନା ନବୀନା ପ୍ରାଣ ହେଉଅଛି ଦହିରେ ।

 

 

କହ କାହିଁ ଅଛୁ,

 

 

ଅଭିମାନେ କଥା ନ କହୁଛୁ ।୧।

 

 

ପ୍ରେୟସୀ । କି ନିମିତ୍ତ ଅଭିମାନ କରି ମୋତେ କଥା କହୁନାହୁଁ, କୁଆଡ଼େ ଅଛୁ ଶୀଘ୍ର ଦେଖା ଦେ ।

 

 

(ଗୀତ)

 

 

ଶିରୀଷଅଙ୍ଗୀ ନିରାଶ କରୁ କାହିଁ ପାଇଁରେ

 

 

ଗିରୀଶ ଅରିର ତାପ ଦେଉଅଛି ଦହିରେ,

 

 

କହ କି କରିବି,

 

 

ତୋ ବିରହେ ଆତ୍ମାଘାତୀ ହେବି ।୨।

 

 

ପ୍ରିୟେ ! କୁଆଡ଼େ ଗଲ, ଏ ହୃଦୟ- କାନନରେ କାମାନଳ ଲଗାଇ ଦେଇ କୁଆଡ଼େ ଚାଲିଗଲ ।

 

 

(ଗୀତ)

 

 

ବରାଙ୍ଗୀ କା ସଙ୍ଗେ ପଡ଼ି ଛାଡ଼ିଗଲୁ କାହିଁରେ,

 

 

ତୋ ବିନା ଏ ଜୀବ ଯିବ ବାଳାମଣି ଧ୍ୟାୟୀରେ ।

 

 

ଆହେ ବୃକ୍ଷଲତା

 

 

କେହି କି ଦେଖିଛ ମୋର କାନ୍ତା ।୩।

 

 

ପ୍ରେୟସୀ ! ତୁମ୍ଭେ କ’ଣ କାହା ଶିକ୍ଷାରେ ପଡ଼ି କାହିଁ ଚାଲିଗଲ । ନା, ତୁମ୍ଭର ତ ସେ ଭାବ କେବେ ଦେଖି ନ ଥିଲି । ବୋଧହୁଏ କିଏ ତୁମ୍ଭଙ୍କୁ ବଳାତ୍କାରରେ ନେଇ ଗଲା । ହେ ପାର୍ବତୀପତି ତୁମ୍ଭେ ହିଁ ସାହା ଭରସା ।

 

 

ସ୍ତବ

 

 

ବଂ ବଂ ହର ପ୍ରଭୁ ମହାଦେବ ।

 

 

ନମୋ ନମୋ ମୃତ୍ୟୁଞ୍ଜୟ ପାର୍ବତୀବଲ୍ଲଭ ।ପଦ।

 

 

ନମୋ ଶମ୍ଭୁ ନୀଳକଣ୍ଠ ହେ ଚନ୍ଦ୍ରଶେଖର

 

 

ନମୋ ଶୁଳୀ ତ୍ରିଅମ୍ୱିକ ପଞ୍ଚମୁଖହର ।୧।

 

 

କେଣେ ଅଛ ଦିଅ ଦେଖା ପିନାକଧାରଣ ।

 

 

ନ ଶୁଭେ କି ମୋର ଡାକ ହେ ବିଶ୍ୱକସେନ ।୨।

 

 

ନମସ୍ତେ ହେ ପଶୁପତି ବିଶ୍ୱରୂପୀ ଈଶ ।

 

 

କୃପାକରି ବାରେ ହର ବାଳମଣି କ୍ଳେଶ ।୩।

 

 

(ସ୍ତବେ ସନ୍ତୁଷ୍ଟ ହୋଇ ଶିବଙ୍କ ଆବିର୍ଭାବ ଓ ବର ପ୍ରଦାନ)

ଶିବ

-

ଚିରଜୀବୀ ହୁଅ ବତ୍ସ ! ତୋ ଆକୁଳେ ହୋଇ ମୁଁ ଆକୁଳ, ଆସିଅଛି ଏଥେ ଦେଖ ଚକ୍ଷୁଫେଇ । ମୁହିଁ ସେହି ଗଙ୍ଗାଧର, ଯା’କୁ ଚିନ୍ତ ଅହରହ ।

ଅମର

-

(ଚକ୍ଷୁଫେଇ ଶିବଙ୍କୁ ଦେଖି ସାଷ୍ଟାଙ୍ଗେ ପ୍ରଣିପାତ)

ଶିବ

-

ବତ୍ସ ! ଅବିଳମ୍ୱେ ପାଇବୁ ତୋ ପତ୍ନୀ ଓ ଭୋଗିବୁ ତୁ ପିତୃରାଜ୍ୟେ ରାଜଗାଦି ନିଶ୍ଚେ ।

 

 

(ଅନ୍ତର୍ଦ୍ଧାନ)

ଅମର

-

କାହିଁଗଲେ ପ୍ରଭୁ ଛାଡ଼ି ଏ ଅଧମେ । ଆଉ ଏ ବେଶଭୂଷାରେ ପ୍ରୟୋଜନ କ’ଣ ? ଯାଉଛି ସଖି, ତୋରି ବିଚ୍ଛେଦରେ ସନ୍ନ୍ୟାସୀ ହୋଇ ବୁଲିବି । (ପ୍ରସ୍ଥାନ)

Image

 

ତୃତୀୟ ଦୃଶ୍ୟ

ଦରବାର

(ରାଜା ସୁରାଟସିଂହ ଓ ମନ୍ତ୍ରୀ)

 

ରାଜା

-

ମନ୍ତ୍ରୀ ! ଏ ରାଜଭବନରେ ମୋର କିଛି ପ୍ରୟୋଜନ ନାହିଁ । ତୁମ୍ଭମାନଙ୍କଠାରେ ମୋର ଏଇ ଶେଷ ଦେଖା ।

 

 

(ଗୀତ)

 

 

(ରଜ ସଜବାଜ ମଉଜ - ବୃତ୍ତେ)

 

 

ରାଜଗାଦି ଯାଉଛି ଛାଡ଼ି,

 

 

ଅନୁସରି ହରିର ଆଶା ।

 

 

ବିପଦର ଧାଡ଼ି ବେଳୁବେଳ ମାଡ଼ି,

 

 

ପଡ଼ି ଉଡ଼ି ଛାଡ଼ି ଯାଉଛି ହଂସା ।

 

 

ମନ୍ତ୍ରୀ । ବେଳକୁ ବେଳ ମୋର ଦୁର୍ଦ୍ଦଶା ବଳି ପଡ଼ିଲାଣି । ବର୍ତ୍ତମାନ ସିଂହାସନ ତ୍ୟାଗକରି ସେହି ପରମେଶ୍ୱରଙ୍କଠାରେ ଧ୍ୟାନ ରଖିବି ।

ମନ୍ତ୍ରୀ

-

ତା’ ତ, ସତ୍ୟ, ମାତ୍ର ରାଜ୍ୟଭାର କିପରି ଓ କାହାଠାରେ ନ୍ୟସ୍ତ ହୋଇ ସୁଚାରୁରୂପେ ନିର୍ବାହ ହେବ ?

ସୁରାଟ

-

(ଗୀତ)

 

 

ପୂର୍ବଜନ୍ମେ କି କଲି ପାପ,

 

 

ନ ଦେଖିଲି ପୁତ୍ରର ମୁଖ ।

 

 

ନ ଦେଖିଲି ପୁତ୍ରର ମୁଖ ।

 

 

କନ୍ୟାଠାରେ ଅର୍ପିଲି ଦୁଃଖ

 

 

ମନେ ମୋର ବହିଣ ରୋଷ ।

 

 

ମନ୍ତ୍ରୀ ! ସହଜେ ମୁଁ ଅପୁତ୍ରକ, ପୁଣି ଏକମାତ୍ର କନ୍ୟା ଯେ ଥିଲା ତାକୁ ହରାଇ ବସିଲି । ଆଉ ମୋର ରାଜ୍ୟରେ କି କାର୍ଯ୍ୟ ।

ମନ୍ତ୍ରୀ

-

ସେ କଥା ଭାବି କି ପ୍ରୟୋଜନ ?

ସୁରାଟ

-

(ଗୀତ)

 

 

ମେଲାଣି ଘେନୁଛି ହେ ମନ୍ତ୍ରୀ,

 

 

ଲାଗିଲା ଏ ରାଜବିଭୂତି ।

 

 

ଦୃଷ୍ଟି ଦେବ ପ୍ରଜାଙ୍କ ପ୍ରତି,

 

 

ବାଳକୃଷ୍ଣ ବୋଲେ ଏ ଭାଷା ।

 

 

ଯାଉଛି, ସେହି ଝିଅ ବିଚ୍ଛେଦରେ ସନ୍ନ୍ୟାସୀ ହୋଇ ବୁଲିବି । (ପ୍ରସ୍ଥାନ)

Image

 

ଚତୁର୍ଥ ଅଙ୍କ

ପ୍ରଥମ ଦୃଶ୍ୟ

 

(କାରାଗାର)

(ବିଳାସ, ଦୂତ, ବାହାନ, ଦୁଷ୍ମନ୍ତ ସିଂହ)

 

ବିଳାସ

-

କ’ଣ କରିବି, ଏ କାରାଗାରରେ ଆଉ କେତେ ଦିନ ରହିବି ? ଏ ଦୁରାଚାରମାନେ ତ ସବୁବେଳେ ମୋ ନିକଟକୁ ଆସି ଅନେକ ପ୍ରକାରେ ପ୍ରଲୋଭନ ଦେଖାଇ ମୋର ସତୀତ୍ୱ ନଷ୍ଟ କରିବାକୁ ବସିଛନ୍ତି, ଉପାୟ କ’ଣ ? ହେ ଭଗବାନ୍‌ । ହେ କରୁଣାବାରିଧି ! ହେ ଅନ୍ତର୍ଯ୍ୟାମୀ ନାଥ ! ତୁମ୍ଭେ ମାତ୍ର ସାହା ।

 

 

(ଗୀତ)

 

 

(କି ଦଶା ପଡ଼ିଲା - ବୃତ୍ତେ)

 

 

କି ବୁଦ୍ଧି କରିବି ଅଞ୍ଚଳନିଧିକି

 

 

ସତେ କାଳେ କୋଳେ ଧରିବି ।ପଦ।

 

 

ହାୟ ପ୍ରାଣନାଥ । ସତେ ଏ ଦୁଃଖ ଅନ୍ଧାର ତୁଟିବ । ଆପଣଙ୍କୁ ଦେଖିବି ?

 

 

(ଗୀତ)

 

 

କପଟ ଲମ୍ପଟ ଦୁଷ୍ଟ, ମୋରୂପେ ଛନ୍ତି ଆକୃଷ୍ଟ,

 

 

କଲେ ମୋ ସତୀତ୍ୱ ନଷ୍ଟ, ଝୁରି ଝୁରି ମରିବି ।

 

 

କ’ଣ କରିବି ? ସେ ଦୁରାଚାରମାନେ ତ ସବୁବେଳେ ମୋ ନିକଟକୁ ଆସୁଛନ୍ତି, ଅନେକ ପ୍ରଲୋଭନ ଦେଖାଇ ମୋର ସତୀତ୍ୱ ନଷ୍ଟ କରିବାକୁ ବସୁଛନ୍ତି ।

 

 

(ଗୀତ)

 

 

ଦେବା-ଦେବୀ ହୁଅ ସାହା ପ୍ରାଣେ ଥାନ୍ତୁ ପ୍ରାଣନାହା ।

 

 

ଆଚରି ରାକ୍ଷସୀ ମାୟା କାୟା ମୋର ଉଦ୍ଧାରିବି ।

 

 

ହେ ଦେବା-ଦେବୀ । ମୋ ସ୍ୱାମୀଙ୍କୁ ରକ୍ଷାକର; ଯେପରି ସେ ମୋ ବିଚ୍ଛେଦରେ ସନ୍ତାପୀ ନ ହୁଅନ୍ତୁ, ଏଇ ତ ବର୍ବରମାନେ ଆସିଲେ ପରା ?

ବାହାନ

-

ଦୂତ ! ସେ ସ୍ତ୍ରୀଟା ଏତେଦିନ ହେଲା ଆସିଲାଣି, ଭଲକରି ଦିନେ ଖାଇ ନାହିଁ, ସବୁବେଳେ କାନ୍ଦି କାନ୍ଦି ଦେହଟାକୁ କ୍ଷୀଣ କରି ଦେଲାଣି; କଥା କ’ଣ ?

ଦୂତ

-

ମହାରାଜ ! ମୁଁ କହିଲେ ଏକା ମୋ କଥାରେ ରାଗିବେ ନାହିଁ ।

ବାହାନ

-

କଥା କ’ଣ ?

ଦୂତ

-

ମହାରାଜ ! ବୁଝୁ ନାହାନ୍ତି, ଯେ ବାରବୁଲୀ ଛତରଖାଈ ତାଙ୍କୁ କୋଉଠି ରାଜଭୋଗ ଅଛି, ଆପଣ ସେଥିରେ ମାତନ୍ତୁ ନାହିଁ । ଆପଣଙ୍କୁ କୋଉ ଏବେ ମାଇକିନିଆ ମିଳୁ ନାହାନ୍ତି ? ଆପଣ ଖୁସାମତ କଲାରୁ ସେ ବରାବର ଗୋଡ଼ ଲମ୍ୱାଇ ଦେଉଛି ।

ବାହାନ

-

ଦୂତ, ଏପରି କହନା, ସେ ଭାରି ଉତ୍ତମ ଧରଣ ଲୋକ । ଆଚ୍ଛା ତୁ ଥା ମୁଁ ତା ନିକଟରୁ ଆସେ । (ବିଳାସ ପ୍ରତି) ଗୋ ସୁନ୍ଦରୀ ! କାହିଁକି ଏପରି ହଟହଟା କରୁଛ ଆସ ।

ବିଳାସ

-

(ଗୀତ)

 

 

କ୍ଷିତିପତି ହେ, ଏ କି ଅନୀତି ବଚାର ।

 

 

ପରନାରୀ ହରିବାକୁ ଭାବୁଛ ସଦା ମନର ।ଘୋଷା।

 

 

ହୋଇ ତୁମ୍ଭେ ରାଜପୁତ୍ର କର ବିଚାର ଅସତ୍ୟ,

 

 

ଏ ନୁହେଁ ଧର୍ମ୍ମ ଉଚିତ ବାଳାମଣିର ବିଚାର ।

 

 

ତୁମ୍ଭେ ରାଜପୁତ୍ର ହୋଇ ଏପରି ଅନ୍ୟାୟ କରିବା କ’ଣ ଉଚିତ ?

ବାହାନ

-

ଆସ ସଖି ! ସେ ଭୁଲାଭୁଲି କଥା ପଟିବ ନାହିଁ ! (ହାତ ଧରିବା ସମୟେ)

ବିଳାସ

-

ହାଃ, ହାଃ, କାପୁରୁଷ ! ଚହ୍ନୁନାହୁଁ ଯୋଗୀ ସଙ୍ଗେ ମାତିଛୁ ପ୍ରେମରେ, ନ ପାରିଛୁ ଚିହ୍ନି ଯେବେ, ରହ ଆଉ ଦିନାକେତେ ସବଂଶେ ଭକ୍ଷିବି, ଏହି ଦୃଢ଼ବ୍ରତ ମୋର । କେ ଅଛି ଶକ୍ତିମାନ୍‌ ହୁଅ ଅଗ୍ରସର ।

ବାହାନ

-

ଦୂତ ! ଏଟା କ’ଣ ରାକ୍ଷାସୀ ନା ଦେବୀ ? ଏ କ’ଣ ମୋତେ ତ କାମୁଡ଼ିବାକୁ ଗୋଡ଼ାଇ ଆସିଲା ।

ଦୂତ

-

କ’ଣ ହେଲା, କାମୁଡ଼ିବାକୁ ଗୋଡ଼ାଇ ଆସିଲା । ଆପଣ ତ ମୁହଁ ବଡ଼େଇ ଦେଲେ-। ଆଚ୍ଛା ମୁଁ ତାକୁ ଦି’ଚାରି କଥା ପଚାରେ ? ମାଇକିନିଆଟାଏ ବଳେଇଯିବ (ବିଳାସପ୍ରତି) ହଇହେ ! ତମ କତିକି ଯେ ଅଇଛିକା ଆସିଥିଲେ ସେ କିଏ ଚିହ୍ନିଲଣି ନା ?

ବିଳାସ

-

ମୁଁ ଜାଣେ ମୂର୍ଖ (ପୂର୍ବବତ୍‌ କାମୁଡ଼ିବାକୁ)

ଦୂତ

-

(ଚମକିପଡ଼ି ସସବ୍ୟସ୍ତେ) ଆରେ ବାବାରେ ଏତ ପ୍ରକୃତ ରାକ୍ଷସୀ । ମହାରାଜ ! ୟାକୁ ଆଉ ଘରେ ରଖିଲେ ଭଲ ମଙ୍ଗଳ ନାହିଁ ?

ଦୂତ

-

(ତଥା କରଣ)

 

 

ରାଜାଙ୍କ ସମ୍ମୁଖେ ବିଳାସର ରାକ୍ଷସୀ ଭାବ ।

ରାଜା

-

ବାହାନ ! ଏଟା ନିଶ୍ଚୟ ରାକ୍ଷସୀ ଏଥିରେ କିଛି ସନ୍ଦେହ ନାହିଁ ।

 

 

(ଗୀତ)

 

 

(କାହାଭାବେ - ବୃତ୍ତେ)

 

 

ନୁହେଁ ଏ ମାନବୀ ଅଟେ କାନନ-ଦେବତୀ ପରା ।

 

 

ମାୟାବୀ କି ଅଭିଳାଷେ ଦେଇଅଛି ଧରା ।ଘୋଷା।

 

 

ଅଜ୍ଞାନେ ନ ଦିଅ ଆଶା ପିଶାଚିନୀ ମଣି ଯୋଷା

 

 

କରିଦେବ ଲୋକହସା କଳଙ୍କ ପସରା ।୧।

ବାହାନ

-

ପିତଃ ! ଆଣିବା ସମୟରେ ଏପରି ଭାବ ତା’ର ନ ଥିଲା ।

ରାଜା

-

(ଗୀତ)

 

 

ଚଣ୍ଡୀକି ଚାମଣ୍ଡା ଦେବୀ, ହୋଇଛି ଭଣ୍ଡମାନବୀ,

 

 

ପିଣ୍ଡେ ନ ପାରୁଛ ଭାବି କରିଦେବ ସାରା ।୧।

 

 

ବାହାନ ! ଏ ପିଶାଚୀ ମାୟାରେ ଏପରି ସ୍ତିରୀରୂପ ଧାରଣ କରିଛି, ଏଥିରେ ଅଣୁମାତ୍ର ସନ୍ଦେହ ନାହିଁ, ୟାକୁ ଶୀଘ୍ର ଗୃହ ମଧ୍ୟରୁ ଅନ୍ତର କର ।

ବାହାନ

-

ପିତଃ ! ତା’ର ମତି ବିଭ୍ରମ ହୋଇ ଯାଇଛି, କିଛି ଉପାୟ କରନ୍ତୁ, ଯା’ଦ୍ୱାରା ସେ ଆରୋଗ୍ୟ ହେବ ।

ରାଜା

-

(ଗୀତ)

 

 

ଡାଆଣୀ ଭୂତ ପ୍ରେତ, ଗୁଣିକ କରୁ ତଦନ୍ତ,

 

 

ବାଳକୃଷ୍ଣର ରଚିତ ନାହିଁ ମୋର ଚାରା ।୨।

 

 

ଦୂତ ! ରାଜ୍ୟରେ ଖବର ଦେ, କେହି ଗୁଣିଆ ଅଛି ଏ କନ୍ୟାକୁ ଭଲ କରି ପାରିବ-?

 

 

(ଜନୈକ ଗୁଣିଆର ପ୍ରବେଶ ଓ ଝାଡ଼ିବା)

ଗୁଣିଆ

-

ଗୀତ

 

 

ଗୁଣିଆରେ ମୁଁ ଗୁଣିଆ ଅସଲ ଟାଣୁଆ

 

 

ନାଁ ହରିଆରେ ।ପଦ।

 

 

ଯେବେ ହୋଇଥିବ ଜନ୍ତରା ଉପାୟ

 

 

ତହିଁ ପ୍ରତିକର ଶୁଣ ।

 

 

ସେ ମଳୁକୁ ଧରି ଝିଙ୍କିଣ କଟୁରୀ

 

 

ଠେଙ୍ଗ ଠେଙ୍ଗ ତା’ର ହାଣ ।୧।

 

 

ଯେଉଁ ମଳୁ ଭୂତ ଖେଦାରେ ପତିତ

 

 

ଅଥବା କରିବାଜୁର ।

 

 

ସେ ମଳୁକୁ ପୁଣି ବାଉଁଶ ଠେଙ୍ଗଣି

 

 

କୁଟିବ ଛେଚା ପାହାର ।

 

 

ଯେତେ ବଡ଼ ମଳୁ ହେଉ ସେ ପଛକେ

 

 

ମୁଁ ସାଧିବି ମଶାଣିଚଣ୍ଡୀ ।

 

 

ବାଳକୃଷ୍ଣ ବୋଲେ ନ ଗଲେ ସେ ଭଲେ

 

 

ମୋଡ଼ିବି ତା ମୁଣ୍ଡଗଣ୍ଡି ।୨।

ଦୂତ

-

କିଏ ହରିଆ ଭାଇ କିରେ, ଅଇଲୁ ଅଇଲୁ । ଆମ ରାଜାଙ୍କ ଘରେ ଭାରି ବିପଦ ।

ଗୁଣିଆ

-

କଅଣ ମ ? ହଉ ହଉ ଚାଲ ।

 

 

(ପ୍ରଥମେ ଗୁଣିଆର ଦେହକିଳା ମନ୍ତ୍ର)

 

 

ଓଁ ଧୂଳିତ ଧୂଳି ବାମଗୋଡ଼ ଧୂଳି ଆଣିବୁ ତୋଳି । ଯାହାକୁ ଦେବି ତାକୁ ଲାଗ, ସଭାରେ ଲାଗେ, ଗଭାରେ ଲାଗ, ଲାଗ ଲାଗ, ବୋଲି କାହାର ଆଜ୍ଞା କାଉଁରୀ କାମଚଣ୍ଡୀଙ୍କର କୋଟି କୋଟି ଆଜ୍ଞା ।

ଗୁଣିଆର

-

ମନ୍ତ୍ର

 

 

ଓଁ ଚଣ୍ଡୀ ଚଣ୍ଡୀ ମଶାଣୀ ଚଣ୍ଡୀ, ଭୂତବେତାଳ ଲହ ଲହ ତୁଣ୍ଡୀ, କୃଷ୍ଣ ଚକ୍ରକାତି ଭୂଷଣ୍ଡୀ, ଛାଡ଼ ନ ଛାଡ଼ ବୋଇଲେ କାହାର ଆଜ୍ଞା କାଉଁରୀ କାମଚଣ୍ଡୀଙ୍କ କୋଟି କୋଟି ଆଜ୍ଞା ।

ବିଳାସ

-

(ପୂର୍ବବତ୍‌ ଅସୁରୀଭାବ ଧାରଣ ଓ ଗୁଣିଆର ପଳାୟନ)

ରାଜା

-

ଦୂତ ! କ’ଣ କେହି ପାରିବେ ନାହିଁ ?

Image

 

ଦ୍ୱିତୀୟ ଦୃଶ୍ୟ

(ପାନ୍ଥଶାଳା)

 

 

 

ସନ୍ନ୍ୟାସୀବେଶେ ଅମର ଗୀତ

 

 

(କର୍ମ ମୋର ଏଡ଼େ ନାରଖାର - ବୃତ୍ତେ)

 

 

ଅନିତ୍ୟ ସଂସାରେ ଭାଇ ଏକା ହରିନାମ ସାର,

 

 

ହରି ବିନା ନାହିଁ ଭବେ ହରିବାକୁ ଦୁଃଖଘୋର ।ଘୋଷା।

 

 

ପିତାମାତା ବନ୍ଧୁ ଭ୍ରାତା ନୁହଁନ୍ତିଟି ମୋକ୍ଷଦାତା ।

 

 

ଏକା ହରି ହର୍ତ୍ତା କର୍ତ୍ତା ହରିବେ ଏ ପାପଭାର ।୧।

 

 

(ଅନ୍ୟ ଦିଗରୁ ବିଳାସର ପିତା ସୁରାଟ ସିଂହ)

ସୁରାଟ

-

ଆହା; ହରିଭକ୍ତଟି କିଏ ? ଏ ତ ହରିନାମରେ ବେଶ୍‌ ମଜିଛି । ବତ୍ସ ! ଏ ଅଧମକୁ ସଙ୍ଗରେ ନେବ କି ?

ଅମର

-

କିଏ ମହାତ୍ମା, ମୋର ସେ ଭାଗ୍ୟ କାହିଁ । ତେବେ ଆଜିଠାରୁ ଆପଣଙ୍କ ଶ୍ରୀଚରଣତଳେ ଶିଷ୍ୟ ହେଲି ।

ଦୂତ

-

କିଏ ଏ ମହାତ୍ମା, ମୋର ପ୍ରଣାମ ଘେନା କରନ୍ତୁ ।

ଅମର

-

କିଏ, ତୋର ଅଭିଳାଷ କ’ଣ ?

ଦୂତ

-

ଆମ୍ଭର ଏ ଯୁବରାଜ ବାଣିଜ୍ୟକୁ ଯାଇଥିଲେ, କେଉଁଠି ଜଙ୍ଗଲରେ ଗୋଟିଏ ସ୍ତ୍ରୀଲୋକ ଦେଖି ତାହାକୁ ଗୃହକୁ ଘେନି ଆସିଥିଲେ । ବର୍ତ୍ତମାନ ସେ ସ୍ତ୍ରୀ ସମସ୍ତଙ୍କୁ କାମୁଡ଼ିବାକୁ ଉଦ୍ୟତ । ଆମ୍ଭେମାନେ ଅନେକ ଗୁଣିଆ ଆଣି ନିରାଶ ହେଲୁଣି, ଆପଣଙ୍କଦ୍ୱାରା କୌଣସି ଉପକାର ପାଇ ପାରିବୁ କି ?

ସୁରାଟ

-

ନାରେ ବାପ, ସେ କାର୍ଯ୍ୟରୁ ଆମ୍ଭଙ୍କୁ କ’ଣ ମିଳିବ ?

ଅମର

-

(ସ୍ୱଗତଃ) ଏ ସ୍ତ୍ରୀର କଥା ଶୁଣି ମୋର ଅନ୍ତରାତ୍ମା କାହିଁକି ଅସ୍ଥିର ହେଉଛି । ଯାହା ମୋ କର୍ମରେ ଘଟିଲେ ଘଟୁ, ଥରେ ସେ ସ୍ତ୍ରୀ କୁ ଦେଖିବି । [ପ୍ରକାଶ୍ୟେ] ଆଚ୍ଛା ଦୂତ ! ଆମ୍ଭେ ଭଲ କରିବା ।

ଦୂତ

-

ଚାଲନ୍ତୁ ।

Image

 

ତୃତୀୟ ଦୃଶ୍ୟ

(କାରଗାରରେ ବିଳାସର ଗୀତ)

 

 

 

ମନ୍ଦ ଦଇବ !

 

 

ଅଭାଗିନୀ ଏ ଦାରୁଣ ଜ୍ୱାଳା କେତେ ସହିବ ।

 

 

କାନନେ ହୃଦୟ ଧନ

 

 

(ମୋତେ) ନ ପାଇ ହେବେ ଅଜ୍ଞାନ,

 

 

କେବା କରି ନିବେଦନ ମୋ

 

 

ଦୁଃଖକୁ କହିବ [ଘୋଷା]

 

 

କପଟୀ ଲମ୍ପଟୀଚୋର କଲେ ଏତେ ହରବର,

 

 

କାନ୍ତବିନା ଅଧୀନାର ମନ କେବା ମୋହିବ ।୧।

 

 

[ରାଜାଙ୍କ ଅନୁମତିରେ ଅମର ବିଳାସ ନିକଟକୁ ଯିବା ଓ ବିଳାସ ପୂର୍ବବତ୍‌ ରାକ୍ଷସୀ ଭାବ ପ୍ରକାଶ]

ଅମର

-

ଚିହ୍ନିଲିଣି, ନିଶ୍ଚୟ ଚିହ୍ନିଲିଣି, ନିଶ୍ଚୟ ଜାଣିଲିଣି ଏହି ସେହି ମୋର ନୟନର ପିତୁଳା ବିଳାସ ।

 

 

ଗୀତ

 

 

(ବଧୁଲୀ ଅଧରା - ବୃତ୍ତେ)

 

 

ଯତିମତି-ହରା, ଯତି ନୁହେଁ ଗିରା,

 

 

ସତୀ ମୁଁ ତୋ ହୃଦ-ହାରାରେ

 

 

ପ୍ରତେ ଯିବୁ ଧନ ତୋ ଲାଗି ଜୀବନ

 

 

ବନେ ପାଇଅଛି ପରାରେ ।ପଦ।

 

 

ସଖି ! କହିବି କ’ଣ ? ମୁଁ ଯୋଗୀ ନୁହେଁ; କିନ୍ତୁ ତୋରି ବିଚ୍ଛେଦରେ ଏ ଯୋଗୀବେଶ । ମୋତେ କ’ଣ ଚିହ୍ନି ପାରୁ ନାହୁଁ ।

 

 

(ଗୀତ)

 

 

ବନପଥେ ରଖି

 

 

ବନଫଳ ସଖି, ଆୟନେ ଗଲି ପରାରେ ।

 

 

କେ ମୂଢ଼ ପାମର

 

 

କଲାଟି ଅନ୍ତର ଆଜି ପଡ଼ିଅଛୁ ଧରାରେ ।୧।

 

 

ସଖି ମୁଁ ପରା ତୋ ଲାଗି ଅରଣ୍ୟରେ ଜୀବନ ପାଇଥିଲି, ଏକଥା କ’ଣ ମନେ ନାହିଁ ? ମୋତେ ଫଳପାଇଁ ପଠାଇଲ, ତୁମ୍ଭଙ୍କୁ ଏଠାକୁ ଆଣିଲା କିଏ ?

ବିଳାସ

-

ନାଥ, ନାଥ, ସତେ କ’ଣ ଏ ଅଭାଗିନୀ ଆପଣଙ୍କ ମନରେ ଥିଲା ?

ଅମର

-

(ଗୀତ)

 

 

ଖଳ ନା ମଣି ତୁ ସଳଖି ଚାହାଁରେ

 

 

ନାହିଁ ମୋର ଏଥି ଚାରାରେ

 

 

କି ଉପାୟ କରି ତେଜିବା ଏ ପୁରୀ

 

 

ବାଳି ନ ହୁଅ ଅଧୀରାରେ ।୨।

 

 

ପ୍ରିୟେ ! ପଛକଥା ପାସୋରି ପକା, ବର୍ତ୍ତମାନ ଏଠାରୁ ଅନ୍ତର ହେବା ବାଟ ସନ୍ଧାନ କର ।

ବିଳାସ

-

(ଗୀତ)

 

 

[ବିତଳକୁ ଆଲିଙ୍ଗନ - ବୃତ୍ତେ]

 

 

ପରତେ ନ ଥିଲା ମନେ ଦେଖିବି ସତେ ଜୀବନେ

 

 

ହେ ଜୀବନେଶ୍ୱର ତୁମ୍ଭ ଚନ୍ଦ୍ରବଦନ ।

 

 

ଏ ପାପିଷ୍ଠେ ମୂଢ଼ପଣେ ବନୁ ଆଣିଲେ ସଦନେ

 

 

ମଦନ ଆତୁରେ ମୋତେ କରନ୍ତି ଧ୍ୟାନ ।

 

 

ଛଦ୍ରମ ମୁଁ କଲି ତାଙ୍କରେ

 

 

ରାକ୍ଷସୀ ପରାୟେ ମୋତେ ମଣିଲେ ବୀରେ ।୧।

 

 

ନାଥ ! ସତେ ଆପଣଙ୍କୁ ପାଇବି ବୋଲି ମନରେ ବିଶ୍ୱାସ ନ ଥିଲା । ମୋତେ ଏ ପାଷାଣ୍ଡମାନେ ଯାହାକି କଷ୍ଟ ଦେଲେଣି ସେ କଥା କ’ଣ କହିବି ? କିନ୍ତୁ ସେହି ଜଗତ-ଜନନୀଙ୍କ କୃପାରୁ ଗୋଟିଏ ରାକ୍ଷସୀ ଭାବ ଦେଖାଇ ମୋର ସତୀତ୍ୱ ଏ ପର୍ଯ୍ୟନ୍ତ ବଜାଏ ରଖିଛି ।

 

 

(ଗୀତ)

 

 

କେତେ ବା କରନ୍ତି ମାୟା ଉଡ଼ି ଯାଉଥିଲା ସାହା

 

 

ତୁମ୍ଭେ ପ୍ରାଣନାହା ମୋତେ ଦେଲ ଦର୍ଶନ ।

 

 

ବଳେ କି କୌଶଳେ ମୋତେ ଘେନିଯାଅ ଏ ମୁହୂର୍ତ୍ତେ

 

 

ବିଅର୍ଥ ହେଲାଣି ମୋର ନବ ଯୌବନ ।

 

 

ଆଜଦିନ ତୁମ୍ଭର ଦାସୀ,

 

 

ବାଳି ବୋଲେ ଚିରକାଳ ତୁମ୍ଭର ଆଶ୍ରା ।୧।

 

 

ନାଥ ! ଏଠାରୁ ଯିବାର ଉପାୟ କ’ଣ ?

ଅମର

-

ପ୍ରିୟେ ? ମୁଁ ଯେଉଁ ବାବାଜି ରୂପ ହୋଇଛି ସେହିପରି ରହିବି, ତୁମ୍ଭେ ମୋ ସଙ୍ଗରେ ଆସ; ତୁମ୍ଭେ ମୋ ନିକଟରେ ସରଳ ଓ ରାଜକୁମାରମାନଙ୍କ ପ୍ରତି ପୂର୍ବ ଭାବ ଦେଖାଇବ, ତହିଁରେ ଯାହା ହେବ ଦେଖାଯିବ ।

Image

 

ଚତୁର୍ଥ ଦୃଶ୍ୟ

(ରାଜଦରବାର)

 

 

 

(ରାଜସଭାରେ ବିଳାସର ପୂର୍ବବତ୍‌ ରାକ୍ଷସୀ ଭାବ ଓ ଅମର ପଛେ ପଛେ ଯିବା)

ରାଜା

-

ଏ କ’ଣ ବାବାଜି । ତୁମ୍ଭ ନିକଟରେ ସରଳପ୍ରକୃତି ଆମ୍ଭ ପିଲାଙ୍କ ପ୍ରତି ତୀକ୍ଷ୍‌ଣ ଦୃଷ୍ଟି-

ଅମର

-

ତା ମୁଁ ଜାଣେ ନା, ଆପଣ ସ୍ତ୍ରୀକୁ ରଖନ୍ତୁ ବା ନ ରଖନ୍ତୁ ଆମ୍ଭେମାନେ ମେଲାଣି ନେଉଛୁ ।

ରାଜା

-

ବିରକ୍ତ ଭାବେ

 

 

(ଗୀତ)

 

 

(କାହାଭାବେ - ବୃତ୍ତେ)

 

 

ନୁହେଁ ଏ ବାବାଜି ବଡ଼ ପାଜି ସରଦାର,

 

 

ପାପିଷ୍ଠ ପୁଣି ଗାରଡ଼ି ଶିଖିଛି ଅପାର ।ପଦ।

 

 

ପାପିଷ୍ଠ ! ତୁ କ’ଣ ଭଲ କରୁଥିଲୁ ତୋ ସଙ୍ଗରେ ନେବୁ ବୋଲି ।

 

 

(ଗୀତ)

 

 

କି ମନ୍ତ୍ରେ ମୋହିଲା ମତି ଅନୁଗାମୀ ହେଲା ସତୀ

 

 

ଏଥକୁ ଉପାୟ ଚିନ୍ତି କର ପ୍ରତିକାର ।୧।

 

 

ଦୂତ ! ଏ ମୂର୍ଖ କ’ଣ ଏ ସ୍ତ୍ରୀକି ଶିଖାଇ ଦେଲା ସେ ତା’ର ପଛେ ପଛେ ଧାଉଁଛି ।

 

 

(ଗୀତ)

 

 

ବନ୍ଧନ କରି ଏ ଚୋର ଛେଦନ କର ୟା ଶିର

 

 

ନିଦାନ ହେଲାଣି ୟାର ନାହିଁ ଅବସର ।୨।

 

 

ଦୂତ ! ଶୀଘ୍ର ବନ୍ଧନ କର ଏ ଦୁଇ ବାବାଜିଙ୍କୁ ଶୁଳିଦିଅ ।

 

 

[ବନ୍ଧନ କରିବା ସମୟରେ ସ୍ତ୍ରୀର ରାକ୍ଷସୀ ଭାବ]

ରାଜା

-

(ଗୀତ)

 

 

ଦୋଚାରୀ ଏ ନାରୀଗୋଟା, ଚୂର୍ଣ୍ଣକର ୟାର ମଥା

 

 

ବାଳକୃଷ୍ଣ ବୋଲେ ବ୍ୟଥା ଅଙ୍ଗ ହୁଏ ମୋର ।୩।

 

 

ଦୂତ ! ବିଳମ୍ୱ ନ କରି ଶୀଘ୍ର ଘାତୁକକୁ ଆଜ୍ଞାଦିଅ ଏ ତିନିଜଣେ ଶୂଳି ଦେଉ ।

ଅମର

-

ମହାରାଜ ! ମୋର ଗୋଟିଏ ଆପତ୍ତି ଶୁଣିବାକୁ ହେବ ।

ରାଜା

-

ଆପତ୍ତି ମୃତ୍ୟୁବେଳକୁ ଥିଲା ?

ଅମର

-

ଗୀତ

 

 

[ନୃପସୁତ - ବୃତ୍ତେ]

 

 

ହେ ନୃପମଣି ! ଶୁଣ ମୋ ଦୁଃଖ କାହାଣୀ ।

 

 

ଭିକ୍ଷାଶୀ ନୁହେଁ ମୁଁ ନୃପ ଅଟଇ ନିରକ୍ଷ ପ୍ରାଣୀ ।ପଦ।

 

 

ରାଜନ ! ମୁଁ ଯୋଗୀ ନୁହେଁ କି ଭିକ୍ଷୁକ ନୁହେଁ ।

ରାଜା

-

ମୂର୍ଖ ତୁ ଗୋଟିଏ ପାଜି ।

ଅମର

-

(ଗୀତ)

 

 

ରାଜକୁଳେ ହୋଇ ଜନ୍ମ; କର୍ମ କଲା ହୀନିମାନ

 

 

ସେ କଥା କଲେ ସ୍ମରଣ

 

 

ବକ୍ଷ ମୋ ହେଉଛି ହାଣି ।୧।

 

 

ମହାରାଜ ! ମୋର ରାଜକୁଳରେ ଜନ୍ମ; କିନ୍ତୁ କର୍ମ ବଡ଼ ମନ୍ଦ ।

ରାଜା

-

କିପରି ?

ଅମର

-

(ଗୀତ)

 

 

ହେଲି ବିଦ୍ୟାରେ ଭୂଷଣ ପିତା କଲେ ସ୍ନେହଧନ

 

 

ସେ ଲାଗି ଯାହା କଷଣ

 

 

ସହୋଦର ଦେଲେ ଆଣି ।୨।

 

 

ମହାରାଜ ! ଆମ୍ଭ ପିତାଙ୍କର ଆମ୍ଭେ ତିନିପୁଅ, ସେମାନଙ୍କ ମଧ୍ୟରେ ମୁଁ କନିଷ୍ଠ । ପିତା ସତ୍ୟକଲେ ତିନିପୁତ୍ରଙ୍କ ମଧ୍ୟରେ ଯେ ଉପଯୁକ୍ତ ହେବ ତାକୁ ସିଂହାସନ ଦେବେ । ତହୁଁ ଯାହା ହେଲା କହୁଅଛି ।

 

 

(ଗୀତ)

 

 

ବିଦ୍ୟାଗୁରୁ ପରାମର୍ଶେ, ଘେନିଗଲେ ବନଦେଶେ

 

 

ଛେଦିଲେ ମୋତେ ନିରାଶେ

 

 

ନ ଶୁଣିଲେ ମୋର ବାଣୀ ।

 

 

ଭାଇ ଦୁହେଁ ବିଦ୍ୟାଗୁରୁଙ୍କ ପରାମର୍ଶରେ ମୋତେ ଜଙ୍ଗଲକୁ ନେଇ ହାଣି ପକାଇଲେ ।

ରାଜା

-

(ସ୍ୱଗତଃ) ୟାର ପିତାର ଯେଉଁ ଦଶା ମୋର ମଧ୍ୟ ସେହି ଦଶା ଘଟିଲାପରି ଜଣା ଯାଉଛି, (ପ୍ରକାଶ୍ୟେ) କହ କହ ବଞ୍ଚିଲୁ କିପରି ?

ଅମର

-

(ଗୀତ)

 

 

ମୃତ୍ୟୁ ନ ଜାଣି ମୋହର ଏ କନ୍ୟା ବରିଲା ବର

 

 

ସତୀତ୍ୱ ବଳେ ଏହାର

 

 

ପାଇଲି ଜୀବନ ପୁଣି ।୪।

 

 

ମହାରାଜ ! ଏ କନ୍ୟା ମୋତେ ଦୂରରୁ ଦେଖି ମୋର ରୂପ- ମାଧୁରୀରେ ମୁଗ୍‌ଧା ହୋଇ ମୋତେ ପତିତ୍ୱରେ ବରଣ କରି ନିକଟରେ ଦେଖେ ଯେ ମୁଁ ମୃତ, କ’ଣ କରିବ ମୋତେ ତା’ର ପିତୃ ଗୃହକୁ ନେଲା, ପିତା ତା’ର ଏ ଭାବ ଦେଖି ରାଜ୍ୟରୁ ଅନ୍ତର କରିଦେଲେ ।

ସୁରାଟ

-

(ସ୍ୱଗତ) ଓଃ ହୋ, ଏ କ’ଣ ବିଳାସ ! ମୁଁ ମୂଢ଼ ଏଥିରେ ସମ୍ପୂର୍ଣ୍ଣ ଦୋଷୀ । ଭଗବାନ୍‌ ! କ’ଣ ଶୁଣିଲି ।

ଅମର

-

ମହାରାଜ ! ତା’ର ପିତା ତାକୁ ଗୃହରୁ ଅନ୍ତର କରି ଦେଲାରୁ ସେ ଜଙ୍ଗଲରେ ହତାଶ ହୋଇ ମୋତେ ଗଙ୍ଗାକୁ ଫିଙ୍ଗିଦେଇ ଝାସ ଦେବାକୁ ବସିଥିଲା; କିନ୍ତୁ ଭାଗୀରଥୀ ମୋତେ ବଞ୍ଚାଇଲେ ।

ରାଜା

-

ଏ କନ୍ୟା ଏଠାକୁ ଆସିଲା କିପରି ?

ଅମର

-

(ଗୀତ)

 

 

ଭାଗୀରଥୀ କୂଳେ ଦିନେ ଗଲି ଆହାର ସନ୍ଧାନେ

 

 

ପ୍ରିୟା ମୋ ଥିଲା ସେ ସ୍ଥାନେ

 

 

ଏଥେ କେ ରଖିଛି ଆଣି ।୫।

 

 

ବିଶ୍ୱାସ ଯେବେଟି ମନେ ଦୟା କର ଏ ଅଧୀନେ,

 

 

ମୃତ୍ୟୁ ମୁଁ ଦୁଃଖ ନ ମଣେ

 

 

ସମ୍ପଦ ବିପଦ ଜାଣି ।୬।

 

 

ମହାରାଜ ! ମୋ କଥା ଯଦି ବିଶ୍ୱାସଯୋଗ୍ୟ ହୁଏ ତେବେ ମୋତେ ଛାଡ଼ି ଦିଅନ୍ତୁ, ନଚେତ୍‌ ଯେ ଦଣ୍ଡ ଦେବେ ମୁଁ ଅକାତରେ ଭୋଗ କରିବାକୁ ପ୍ରସ୍ତୁତ ।

ରାଜା

-

ଦୂତ ! ୟାର କଥାରେ ମୋର ହୃଦୟ ଅସ୍ଥିର ହୋଇ ପଡ଼ିଲାଣି, ବତ୍ସ ! ତୋର ପିତାର ନାମ, ତୋର ନାମ, ସେ ଦୁଇଭାଇଙ୍କ ନାମ, କନ୍ୟାର ନାମ ପ୍ରକାଶ କର-?

ଅମର

-

(ଗୀତ)

 

 

ଦୁଷ୍ମତସିଂହ ମୋ ତାତ ବାହାନ ତୋଫାନ ଭ୍ରାତ

 

 

ବିଳାସ କୁମାରୀ ଏ ତ

 

 

ମୁଁ ଅମର ବାଳା ଭଣି ।୭।

ରାଜା

-

ଅମର ! ମୋର ହୃଦୟର ଧନ ଅମର ।

ଅମର

-

ପିତା ! ମୋର ଦୋଷ କ୍ଷମା କରିବେ । (ପ୍ରଣିପାତ)

ସୁରାଟ

-

ବିଳାସ ! କ୍ଷମା ଦେ; ମୁଁ ତୋର ପିତା । (ପ୍ରଣିପାତ)

ବିଳାସ

-

ପିତା !

ରାଜା

-

କିହେ ବଡ଼ ବାବାଜି ! ତୁମେ କ’ଣ ଏପରି ?

ସୁରାଟ

-

ମହାରାଜ ! ଏ ମୋର କନ୍ୟା ।

 

 

(ସମୁଦିଙ୍କ ମିଳନ, ବିଳାସ, ଦୁଷ୍ମନ୍ତଙ୍କୁ ଓ ଅମର ସୁରାଟଙ୍କୁ ପ୍ରଣିପାତ)

 

 

ରାଜା ଦୂତ ! ବିଦ୍ୟାଗୁରୁ ପରାମର୍ଶରେ ବାହାନ ତୋଫାନ ମୋର ସ୍ନେହର ଧନ ଅମରକୁ ଏ ଦଶା ଦେଇ ମୋତେ ଭଣ୍ଡାଇ କହିଲେ । ବର୍ତ୍ତମାନ ସେ ଦୋଷୀଙ୍କୁ ଧରିଆଣ ।

ଦୂତ

-

[ତଥାକରଣ]

ରାଜା

-

ବାହାନ ! ଅମର କାହିଁ ?

ବାହାନ

-

ସିଂହ ନେଇ ଯାଇଛି ।

ରାଜା

-

(ଗୀତ)

 

 

ଏ କୁଳକଳଙ୍କ ମୋତେ ଦେଲେ ଏଡ଼େ ଦଗାରେ

 

 

ବିପକ୍ଷ କୁବୁଦ୍ଧି ଏହାଙ୍କୁ କେ ବା ଦେଲା ଶିକ୍ଷାରେ,

 

 

ପଣ୍ଡିତ ସହିତେ ଭାଣ୍ଡେ ଖଣ୍ଡା ଦିଅ ଶିରରେ

 

 

କେତେ କାଣ୍ଡ କଲେ ହୁଣ୍ଡା ହଣ୍ଡା ମୋର ଥରେରେ ।

ରାଜା

-

ଅମର ! ଏମାନଙ୍କୁ କି ଶାସ୍ତି ଦେବି ।

ଅମର

-

ପିତା ! ଘେନା କର ବିନତି ମୋହର, ନାହିଁ ତହିଁ ମୋର କ୍ଳେଶ । ବିଦ୍ୟାଗୁରୁ ଓ ଭାଇ ଏମାନେ ମୋର ଆପଣଙ୍କ ପରି ପୂଜ୍ୟ । ସେମାନଙ୍କ ନୃଶଂସ ଭାବଦ୍ୱାରା ମୋର କିଛି ଅନିଷ୍ଟ ହୋଇ ନାହିଁ । ପିତଃ ! ସେମାନଙ୍କୁ କ୍ଷମା ଦିଅନ୍ତୁ ।

ରାଜା

-

(ଗୀତ)

 

 

ଅମରେ ଅମରାକ୍ଷରେ ରହୁ ତୋର ଯଶ ।

 

 

ବାଳକୃଷ୍ଣ ବୋଲେ ପୂର୍ଣ୍ଣ ହେଲା ଏ ରହସ୍ୟ ।

 

 

(ଅମରକୁ ରାଜମୁକୁଟ ପ୍ରଦାନ)

Image